ଭଦ୍ରକ: ଗଣେଶ ପୂଜା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଭଦ୍ରକରେ ଆସନ୍ତା ଗଣେଶ ପୂଜାକୁ ସରକାରୀ ନିର୍ଦ୍ଦେଶମତେ କୋଭିଡ଼ ମାର୍ଗ ଦର୍ଶିକା ଅନୁପାଳନ ଆଧାରରେ ଶାନ୍ତିଶୃଙ୍ଖଳାର ସହିତ ପାଳନ କରାଯିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସ୍.ପି ଚରଣ ସିଂ ମୀନା, ଅତିରିକ୍ତ ଜିଲ୍ଲାପାଳ ମଧୁ ସୂଦନ ଦାଶ, ଉପଜିଲ୍ଲାପାଳ ପୀତାମ୍ବର ସାମଲ ପ୍ରମୁଖ ଯୋଗ ଦେଇଥିଲେ । ବିଭିନ୍ନ ଗଣେଶ ପୂଜା କମିଟିର କର୍ମକର୍ତ୍ତାଙ୍କ ସହ ସଂପୃକ୍ତ ପ୍ରଶାସନିକ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ତେବେ କୋଭିଡ଼ ମାର୍ଗଦର୍ଶିକା ଅନୁଯାୟୀ ପୂଜାମଣ୍ଡପଗୁଡ଼ିକୁ ତିନି ପାଖକୁ କଭର କରାଯିବ । ସମ୍ମୁଖ ପାଖକୁ ମୂର୍ତ୍ତି ଦେଖାଗଲା ଭଳି ଆବଦ୍ଧ କରାଯିବ । ପୂଜା ସ୍ଥାନରେ ଜନ ସମାବେଶ ହେବ ନାହିଁ, ଦର୍ଶନ କି ପୂଜା ନିମନ୍ତେ ମଣ୍ଡପ ଭିତରକୁ ଜନ ସାଧାରଣଙ୍କୁ ଅନୁମତି ଦିଆଯିବ ନାହିଁ । ପୂଜା ସ୍ଥାନରେ କୌଣସି ପରିସ୍ଥିତିରେ 7 ଜଣରୁ ଅଧିକ ଲୋକ ଏକାଠି ହେବେ ନାହିଁ କି ଭସାଣି ଶୋଭାଯାତ୍ରା ହେବ ନାହିଁ । ମେଲୋଡ଼ି ଆଦି ସାଂସ୍କୃତିକ କାର୍ଯ୍ୟ କିମ୍ବା ଡ଼ାକବାଜି ଯନ୍ତ୍ର ବାଜିପାରିବ ନାହିଁ । ଯେତିକି ପୂଜା ମଣ୍ଡପ ଅଛି ସେତିକିରେ ପୂଜା ହେବା ବ୍ୟତୀତ ଅନ୍ୟ କୌଣସି କ୍ଲବ୍ ବା ଛକ ଜାଗାମାନଙ୍କରେ କୌଣସି ଅନୁଷ୍ଠାନ ଦ୍ବାରା ଗଣେଶ ପୂଜା ଅନୁଷ୍ଠିତ ହୋଇ ପାରିବ ନାହିଁ ।
ପୂଜା ଆୟୋଜନ ପୂର୍ବରୁ ସଂପୃକ୍ତ କର୍ମକର୍ତ୍ତାମାନେ ସଂପୃକ୍ତ ଅଧିକାରୀଙ୍କଠାରୁ ଅନୁମତି ନେବେ । ମୂର୍ତ୍ତି ଗୁଡ଼ିକର ଉଚ୍ଚତା 4 ଫୁଟରୁ ଅଧିକ ହେବ ନାହିଁ । ପୂଜା ଉତ୍ସବ କି ଭସାଣିରେ ଯେତିକି ସମ୍ଭବ କମ, ସରଳ ଓ ନିରାଡ଼ମ୍ବର ଭାବେ ଆୟୋଜନ କରାଇବାକୁ ଏସପି ସମସ୍ତ ପୂଜାକମିଟିର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଛନ୍ତି ।
କୌଣସି ଭୋଜିଭାତ, ସାମୂହିକ ପ୍ରସାଦ ସେବନ ପାଇଁ ଅନୁମତି ନାହିଁ ବୋଲି ମଧ୍ୟ କହିଛନ୍ତି । ଏହି ସମାନ ମାର୍ଗଦର୍ଶିକାରେ ଗତ ବର୍ଷ ପୂଜା ପାଳନ କରାଯାଇଥିବାରୁ କର୍ମକର୍ତ୍ତାମାନେ ଏ ବର୍ଷ ମଧ୍ୟ ସେହି ଆଧାରରେ ପାଳନ କିରବା ନେଇ ନିଷ୍ପଭି ନେଇଛନ୍ତି ଓ ଏ ଦିଗରେ ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରିବେ ବୋଲି ମତ ରଖିଛନ୍ତି । ଘଟ ଉତ୍ତୋଳନ ସ୍ଥାନ, ପୂଜାସ୍ଥଳୀ ଆଦି ଜାଗାରେ ସଫେଇ ପାଇଁ କର୍ମକର୍ତ୍ତାଙ୍କ ଅନୁରୋଧକ୍ରମେ ଜିଲ୍ଲାପାଳ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି ।
ତେବେ ଏହି ବୈଠକରେ ଏସଡ଼ିପିଓ ସାର୍ଥକ ରାୟ, ଟାଉନ ଥାନାଧିକାରୀ ଉମା ଶଙ୍କର ନାୟକ, ପୁରୁଣା ବଜାର ଥାନାଧିକାରୀ ପ୍ରକାଶ ଚନ୍ଦ୍ର ପୃଷ୍ଟି ପ୍ରମୁଖ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ