ଭଦ୍ରକ: ରାଜନୈତିକ ଆକ୍ରୋଶରେ ଦୋକାନ ପୋଡ଼ିଲେ ଦୁର୍ବୃତ୍ତ। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଚକ ପଞ୍ଚାୟତ ନନ୍ଦପୁର ବଜାରରେ ଅଭାବନୀୟ ଘଟଣା ଘଟିଛି। ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ିଯାଇଥିବା ଜଣାପଡ଼ିଛି। ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଦୋକାନୀ।
ଭଦ୍ରକ ଜିଲ୍ଲାରେ ଦେଖାଦେଇଛି ରାଜନୈତିକ ହିଂସା। ନିର୍ବାଚନ ପରାଜୟ ସହ୍ୟ ନକରି ବିଜୟ ଦଳର ସମର୍ଥକଙ୍କ ଦୋକାନ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଯାହା ଫଳରେ ଲକ୍ଷାଧିକ ଟଙ୍କାର ତେଜରାତି ଓ ପନିପରିବା ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ସୂଚନା ମୁତାବକ, ଅରୁଣ ଭୋଇ ଓ ତାଙ୍କ ଭାଇ ତରୁଣ ଭୋଇ ଏହି ପଞ୍ଚାୟତର ଏକ ନିର୍ଦ୍ଦିଷ୍ଟ ଦଳର ସକ୍ରିୟ କର୍ମୀଭାବେ କାର୍ଯ୍ୟ କରୁଥିଲେ ।
ଚଳିତ ନିର୍ବାଚନରେ ପ୍ରାର୍ଥୀଙ୍କ ପ୍ରଚାର ପ୍ରସାର ଠାରୁ ଆରମ୍ଭ କରି ମତଦାନ ଓ ଭୋଟ ଗଣତି କେନ୍ଦ୍ରରେ ଦଳ ପକ୍ଷରୁ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ଶେଷରେ ଉକ୍ତ ଦଳର ପ୍ରାର୍ଥୀଙ୍କ ବିଜୟ ମଧ୍ୟ ହୋଇଛି । ତେବେ ସେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ତାଙ୍କ ଦୋକାନ ଭିତରେ ନିଆଁ ଲାଗି ଜଳୁଥିବାର ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଖବର ପାଇ ଆସି ଦେଖନ୍ତି ତ ସବୁକିଛି ଭସ୍ମୀଭୂତ ହୋଇଯାଇଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ମାତ୍ର ଏହାରି ଭିତରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇ ଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଏହି ଘଟଣାରେ ସଂପୃକ୍ତ ଦୁର୍ବୃତ୍ତଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ଦାବି ହୋଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ