ଭଦ୍ରକ: ଦେଶରେ ପାଳନ ହେଉଛି 79 ତମ ଜାତୀୟ ଅଗ୍ନିଶମ ନିରାପତ୍ତା ସୁରକ୍ଷା ସପ୍ତାହ । ଏହି ଅଗ୍ନିଶମ ନିରାପତ୍ତା ସୁରକ୍ଷା ସପ୍ତାହ ପାଳନ ଅବସରରେ ପ୍ରଥମ ଦିନ ଅର୍ଥାତ ଏପ୍ରିଲ ମାସ 14 ତାରିଖକୁ ସହିଦ ଦିବସ ଭାବେ ପାଳନ କରାଯାଏ । ଏପ୍ରିଲ ମାସ 20 ତାରିଖ ପର୍ଯ୍ୟନ୍ତ ଅଗ୍ନିଶମ ନିରାପତ୍ତା ସୁରକ୍ଷା ସପ୍ତାହ ଭାବରେ ସମଗ୍ର ଭାରତ ବର୍ଷରେ ପାଳନ କରାଯାଉଛି । ଏହି ସପ୍ତାହ ମଧ୍ୟରେ ଅଗ୍ନିକାଣ୍ଡ ନଘଟିବା ପାଇଁ କିପରି ସତର୍କତା ଅବଲମ୍ବନ କରିବାକୁ ହେବ, ଅଗ୍ନିକାଣ୍ଡ ଘଟିବା ସମୟରେ କିପରି ଭାବରେ ତାକୁ ମୁକାବିଲା କରାଯାଇ ପାରିବ ଏବଂ ପରେ ନିଜେ ତଥା ଅନ୍ୟ ମାନଙ୍କୁ କିପରି ସୁରକ୍ଷିତ ରଖିବେ ସେନେଇ ସଚେତନତା ସୃଷ୍ଟି କରାଯାଇଥାଏ । ଏହି ଅବସରରେ ଭଦ୍ରକ ଜିଲ୍ଲା ତିହିଡି ଦମକଳ କେନ୍ଦ୍ର ପକ୍ଷରୁ 79 ତମ ଜାତୀୟ ଅଗ୍ନିଶମ ନିରାପତ୍ତା ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି ।
ଅଗ୍ନିଶମ ନିରାପତ୍ତା ସୁରକ୍ଷା ସପ୍ତାହ ଅବସରରେ ତିହିଡି କାଳୀ ପଡିଆରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଜନ ସାଧାରଣଙ୍କ ମଧ୍ୟରେ ଅଗ୍ନିକାଣ୍ଡର ପୂର୍ବ, ଅଗ୍ନିକାଣ୍ଡ ସମୟରେ ଏବଂ ପରେ ନିଜକୁ କିପରି ସୁରକ୍ଷିତ ରଖିପାରିବେ ସେନେଇ ପରାମର୍ଶ ଦିଆଯାଇଥିଲା । ତିହିଡି ଦମକଳ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଆଲୋକ ଦେବ ଗୋସ୍ଵାମୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଚେତନତା ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଯୁବପିଢିଙ୍କୁ ସାମିଲ କରାଯାଇ ସ୍ବାସ୍ଥ୍ୟ ସଚେତନତା ଏବଂ ଅଗ୍ନି ନିରାପତ୍ତା ପ୍ରତି ସଚେତନ କରିବା ଉଦ୍ଦେଶ୍ୟରେ ତିହିଡି ଅଗ୍ନିଶମ ବିଭାଗ ପକ୍ଷରୁ ଗୋପବନ୍ଧୁ ସେବା ସଂଘର ମିଳିତ ସହଯୋଗରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଗୋଳାପୋଖରୀ ଛକରୁ ମିନି ମାରାଥନ ଆରମ୍ଭ ହୋଇଥିଲା । ଏଥିରେ ଶତାଧିକ ଯୁବକ ଅଂଶ ଗ୍ରହଣ କରିଥିଲେ । ପରେ କୃତିତ୍ବ ହାସଲ କରିଥିବା ଯୁବକମାନଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା ।
ଏନେଇ ତିହିଡି ଦମକଳ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଆଲୋକ ଦେବ ଗୋସ୍ଵାମୀ କହିଛନ୍ତି, " 1944 ମସିହା ଏପ୍ରିଲ ମାସ 14 ତାରିଖ ଦିନ ବମ୍ବେ ପୋର୍ଟରେ ଥିବା ଏକ ବଡ ଜାହାଜରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡକୁ ବହୁ କଷ୍ଟରେ ଅଗ୍ନିଶମ ସେବା ବାହିନୀ ପକ୍ଷରୁ ଆୟତ୍ତ କରାଯାଇଥିଲା । ହେଲେ ଏଥିରେ ନିୟୋଜିତ ଥିବା 200ରୁ ଊର୍ଦ୍ଧ୍ବ ଅଗ୍ନିଶମ କର୍ମଚାରୀ ସେମାନଙ୍କ ପ୍ରାଣ ହରାଇଥିଲେ । ତେଣୁ ଏହାକୁ ସ୍ମୃତିରେ ରଖି ସେହି ଦିନ ଠାରୁ ଜାତୀୟ ଅଗ୍ନିଶମ ନିରାପତ୍ତା ସୁରକ୍ଷା ସପ୍ତାହ ପ୍ରତିବର୍ଷ ସମଗ୍ର ଭାରତ ବର୍ଷରେ ପାଳନ କରାଯାଏ । ଏହି କ୍ରମରେ ତିହିଡି ଦମକଳ କେନ୍ଦ୍ରର ପକ୍ଷରୁ ମଧ୍ୟ ଲୋକଙ୍କୁ ସତର୍କ କରାଇବା ଦିଗରେ ସପ୍ତାହ ପାଳନ କରାଯାଉଛି ।
ଇଟିିଭି ଭାରତ, ଭଦ୍ରକ