ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାଁପଡା ପଂଚାୟତ ପ୍ରଶାସନ ରିଲିଫ ପ୍ରଦାନରେ ପାତର ଅନ୍ତର କରିଥିବା ଅଭିଯୋଗରେ ପଞ୍ଚାୟତ କାର୍ଯାଲୟ ସାମ୍ନାରେ ଆମରଣ ଅନଶନ । ପ୍ରଥମେ ଗତ 9 ରୁ 19 ତାରିଖ ଯାଏଁ ଗଣ ଧାରଣାରେ ବସିଥିବାବେଳେ କୌଣସି ସୁଫଳ ନମିଳିବାରୁ ଏବେ 3 ଜଣ ଆମରଣ ଅନଶନରେ ବସିଥିବା ଦେଖିବାକୁ ମିଳିଛି ।
ଆମରଣ ଅନଶନରେ ବସିଥିବା ସତ୍ତ୍ବେ ଏଯାଏଁ ପହଞ୍ଚିନାହାଁନ୍ତି କୌଣସି ପ୍ରଶାସନିକ ଅଧିାକାରୀ । ସେପଟେ ଆମରଣରେ ବସିଥିବା 3 ଜଣଙ୍କ ମଧ୍ୟରୁ ଜଣଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତ୍ତର ହୋଇପଡିବାରୁ ତାଙ୍କୁ ତିହିଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ ଏହି ପଞ୍ଚାୟତ ଅନ୍ତର୍ଗତ କାଁପଡାବିନ୍ଧା ଗ୍ରାମରେ ମୋଟ 90 ପରିବାର ବସବାସ କରନ୍ତି । ସେମାନଙ୍କ ମଧ୍ୟରେ ପର୍ଯ୍ୟାୟକ୍ରମେ 71 ଟି ପରିବାରକୁ ରିଲିଫ୍ ପ୍ରଦାନ କରାଯାଇଥିବାବେଳେ 19 ପରିବାର ଏଥିରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ହେଲେ ବାରମ୍ବାର ପ୍ରଶାସନକୁ ଏବାବଦରେ ଅଭିଯୋଗ କରାଯିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଏପରି ଆମରଣକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ଏସମ୍ପର୍କରେ ବ୍ଲକ ପ୍ରଶାସନକୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ