ବରଗଡ: ଲକଡାଉନ ଅବଧି ବଢିବା ସହ ହଇରାଣ ହେଉଛନ୍ତି ଶ୍ରମିକ । କାମଧନ୍ଦା ବନ୍ଦ ଯୋଗୁଁ ପେଟ କିପରି ପୁରିବ ସେଇ କଷ୍ଟରେ ଅକଥନୀୟ ଯନ୍ତ୍ରଣା ସହ ଘର ବାହୁଛନ୍ତି ଶ୍ରମିକ ପରିବାର । ଶନିବାର ଏଭଳି ଏକ ଦୁଃଖୀ ଗରିବ ଶ୍ରମିକ ପରିବାର ନିଜ ସବୁ ଜିନିଷ ସହ ବରଗଡରୁ ପାଇକମାଳ ଅଞ୍ଚଳକୁ ଡହ ଡହ ଖରାରେ ଚାଲି ଚାଲି ଯାଉଥିବା ବେଳେ ଶ୍ରୀଗିଡାରେ ସ୍ଥାନୀୟ ଲୋକେ ତାଙ୍କୁ ସାହାଯ୍ୟ କରିଛନ୍ତି ।
କିଏ ସାଇକେଲରେ ତ ପୁଣି କିଏ ଚାଲି ଚାଲି ଶହ ଶହ କିଲୋମିଟର ଅତିକ୍ରମଣ କରି ନିଜ ରାଜ୍ୟ ଭିଟାମାଟିକୁ ଫେରିବାକୁ କଷ୍ଟ କରୁଛନ୍ତି । ଯାହା ହେଇଯାଉ ପଛେ ଘରକୁ ଫେରିବାକୁ ସେମାନଙ୍କୁ ଲକଡାଉନ ବି ଅଟକାଇପାରୁନି । ବରଗଡ଼ ଦେଇ ପ୍ରତିଦିନ ଦାଦନ ଶ୍ରମିକ ପରିବାର ସହ ଯାତାୟାତ କରୁଛନ୍ତି । ଏଭଳି ଭାବେ ଶନିବାର ଯାଉଥିବା ଏହି ପରବାରକୁ ବିଜେପୁର ନିର୍ବାଚନ ମଣ୍ଡଳୀର ଶ୍ରୀଗିଡା ଗ୍ରାମର ଅର୍ଜୁନ ସାହୁ ଏବଂ ତାଙ୍କର ସହଯୋଗୀମାନେ ଖାଦ୍ୟପେୟ ଯୋଗାଇବା ସହ ସେମାନଙ୍କ ପାଇଁ ସ୍ଥାନୀୟ ବିଡିଓ ଙ୍କର ସହାୟତାରେ ଏକ ଗାଡିର ବ୍ୟବସ୍ଥା କରିଛନ୍ତି ।
ପରେ ସେମାନେ ଅଳ୍ପ ବିଶ୍ରାମ ନେବାପରେ ଗାଡିରେ ପାଇକମାଳ ସ୍ଥିତ କାଂଶଡା ଗ୍ରାମ ଅଭିମୁଖେ ବାହାରିଥିଲେ । ତେବେ ଶ୍ରୀଗିଡା ଗ୍ରାମବାସୀଙ୍କ ସହଯୋଗରୁ 120 କିଲୋମିଟର ଚାଲି ଚାଲି ଯିବାରୁ ସେମାନେ ରକ୍ଷାପାଇଥିଲେ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ