ବରଗଡ: ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ପଶ୍ଚିମ ଓଡିଶାର ଆଇନଜୀବୀଙ୍କ ପକ୍ଷରୁ ବନ୍ଦ ପାଳନ ହୋଇଥିଲା । ବରଗଡରେ ଏହି ବନ୍ଦକୁ କୋଶଳ ରାଜ୍ୟ ସମନ୍ବୟ ସମିତି ସମର୍ଥନ କରି କୋଶଲ ସେନାର କର୍ମୀମାନେ ଏଥିରେ ସାମିଲ ହୋଇଥିଲେ | ତେବେ ବରଗଡରେ ସିଟି ହସ୍ପିଟାଲ ଦାବିରେ ପାଞ୍ଚଦିନ ହେଲା ଆନ୍ଦୋଳନ ଚାଲିଥିବାବେଳେ ଲଗାତାର ତିନିଦିନ ହେଲା ସମସ୍ତ ଦୋକାନ ବଜାର ଓ ସରକାରୀ ଅଫିସ ସବୁ ବନ୍ଦ ରହିଥିଲେ ମଧ୍ୟ ଏହି ବନ୍ଦ ଡାକରାକୁ ଜନସମର୍ଥନ ମିଳିଛି |
ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାପନ ଦାବିରେ ଓକିଲ ମାନଙ୍କ ଦ୍ବାରା ପ୍ରତି ମାସରେ ତିନି ଦିନିଆ କୋର୍ଟ ବର୍ଜନ ଲାଗିରହିଥିବା ବେଳେ ଆନ୍ଦୋଳନରତ ଓକିଲଙ୍କ ବିରୋଧରେ ଓଡିଶା ବାର କାଉନସିଲର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିଷ୍ପତ୍ତିକୁ ବିରୋଧ କରି ବନ୍ଦ ଡ଼ାକରା ଦିଆଯାଇଛି । ବରଗଡ କୋର୍ଟ ସମ୍ମୁଖରେ ଆନ୍ଦୋଳନକାରୀମାନେ ବିଚାରପତିଙ୍କୁ ଅନୁରୋଧକରି ସେଠାରୁ ଫେରାଇ ନେଇଥିଲେ ଏବଂ କୋର୍ଟ କଚେରୀ ବନ୍ଦ କରିଦେଇଥିଲେ | ସହରରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବରଗଡ଼ ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି |
ତେବେ ବରଗଡ଼ ଜିଲ୍ଲାର ସମସ୍ତ ବ୍ଲକରେ ଏହି ବନ୍ଦର ପ୍ରଭାବ ଦେଖାଦେଇଥିବା ବେଳେ ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ମଧ୍ୟ ବନ୍ଦ ପାଳନ ସଫଳ ହୋଇଛି । ସ୍କୁଲ କଲେଜ ଓ ସମସ୍ତ ଛୋଟ ବଡ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ ରଖାଯାଇଛି ଏବଂ ପଡୋଶୀ ଛତିଶଗଡ଼ ରାସ୍ତାକୁ ମଧ୍ୟ ଯାନବାହାନ ଚଳାଚଳ ସମ୍ପୂର୍ଣ ବନ୍ଦ କରାଯାଇଛି |
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ