ବରଗଡ: ଆଜି ବରଗଡ ଜିଲ୍ଲା ଅତାବିରା ଏନଏସି ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ସକାଳ 8ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ସନ୍ଧ୍ୟା 5ଟା ଯାଏ ଭୋଟ ଗ୍ରହଣ ଜାରି ରହିବ । କଡା ସୁରକ୍ଷା ଭିତରେ ଭୋଟ ଗ୍ରହଣ ଜାରି ରହିଛି । ମତଦାନ ପୂର୍ବରୁ ସମସ୍ତ ବୁଥ ମାନଙ୍କରେ ମକପୋଲ ପରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ଅତାବିରାରେ 12ଟି ୱାର୍ଡରେ 16ଟି ବୁଥ ହୋଇଛି । ମୋଟ ବୁଥରେ 7ଟି ସମ୍ବେଦନଶୀଳ ଥିବାବେଳେ 3ଟି ଅତି ସମ୍ବେଦନଶୀଳ ରହିଛି ତେଣୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଉଭୟ ବୁଥ୍ମାନଙ୍କରେ ସିସିଟିଭିର ବ୍ୟବସ୍ଥା କରାଯାଇଛି । ଯେପରି ଶାନ୍ତି ଶୃଙ୍ଖଳା ସହିତ ମତଦାନ ପ୍ରକ୍ରିୟା ସମାପନ ହେବ ସେ ନେଇ ଏହି ବୁଥ୍ମାନଙ୍କରେ ଅଧିକ ପୋଲିସ ମୁତୟନ କରାଯାଇଛି । ଆସନ୍ତା 5 ତାରିଖରେ ଫଳାଫଳ ପ୍ରକାଶ ପାଇବ ।
ଅତାବିରା ଏନଏନସି ନିର୍ବାଚନରେ ମଇଦାନରେ ୧୨ଟି ୱାର୍ଡରେ ନଗରପାଳ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୪୩ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ୱିତା କରୁଛନ୍ତି । ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ ନଗରପାଳ ଆସନରେ ୩ ପ୍ରମୁଖ ରାଜନୈତିକ ଦଳ ସମେତ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୪ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ରହିଛନ୍ତି । ଅତାବିରା NAC ନିର୍ବାଚନରେ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ବିଜେଡି ଦଳରୁ ବନମାଳୀ ବରିହା, ବିଜେପି ଦଳରୁ ଲକ୍ଷ୍ମୀ ବେହେରା, କଂଗ୍ରେସ ଦଳରୁ ସବିତା ଭୁଏ, ଓ ଆମ ଆଦମି ପାର୍ଟି ସମର୍ଥିତ ପ୍ରାର୍ଥୀ ସାମନ୍ତ ଭୁଏ ସ୍ଵାଧୀନ ଭାବେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ।
ଏହା ବି ପଢନ୍ତୁ...ରାମେଶ୍ବରରୁ ବାହୁଡ଼ିଲେ ପ୍ରଭୁ ଲିଙ୍ଗରାଜ, ଆଜି ପହଞ୍ଚିବେ ମନ୍ଦିରରେ
ଏହା ବି ପଢନ୍ତୁ...ଗାଡି ଚଳାଇ ଧରାପଡିଲେ ବିଡିଓଙ୍କ ପୁଅ, କଟିଲା 25 ହଜାର ଫାଇନ
ଅତାବିରାରେ 13 ହଜାର 520 ଜଣ ମୋଟ ଭୋଟର ରହିଛନ୍ତି । ପୁୁରୁଷ ଭୋଟଙ୍କ ଠାରୁ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ପୁରୁଷ ଭୋଟରଙ୍କ ସଂଖ୍ୟା 6 ହଜାର 743 ରହିଥିବା ବେଳେ ମହିଳା ଭୋଟର 6 ହଜାର 777 ରହିଛି । ଅତାବିରା ଏନଏସିରେ ତୃତୀୟ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ପୂର୍ବରୁ ଥରେ ବିଜେଡି ଓ କଂଗ୍ରେସ ବିଜୟୀ ହୋଇଥିଲେ । ଏଥର ଦୁଇ ଦଳ ମଧ୍ୟ ବିଜୟୀ ହେବା ଆଶା ରଖିଛନ୍ତି । ତେବେ କିଏ ବିଜୟୀ ହେଉଛି ତାହା ଫଳାଫଳ ପରେ ସ୍ପଷ୍ଟ ହୋଇଯିବ ।
ଇଟିଭି ଭାରତ, ବରଗଡ