ବରଗଡ : ଗୋଟିଏ ଦିନ ପୂର୍ବରୁ ସଚେତନତା । ଆଉ ସଚେତନତା ପରେ କଡା ଜୋରିମାନା । ଏଭଳି ଗାନ୍ଧୀବାଦୀ ନୀତି ଆପଣେଇଛି ବରଗଡ ପୋଲିସ । ନୂଆ ମୋଟର ଯାନ ଆଇନ ଆସିବା ପରେ ଏନେଇ ପ୍ରଥମେ ବିଭିନ୍ନ ସ୍ଥାନରେ ଟ୍ରଫିକ ଉଲ୍ଲଂଘନକାରୀଙ୍କ ଉପରେ ଜୋରିମାନା ଆଦାୟ କରାଯାଉଥିଲା । ବୁଧବାର 150 ତମ ଗାନ୍ଧୀ ଜଯନ୍ତୀ ଅବସରରେ ବରଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ଏକ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଏକ ଟ୍ରାଫିକ ସଚେତନତା ଶୋଭାଯାତ୍ରା ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ବାହାରି ସ୍ଥାନୀୟ ଗାନ୍ଧୀଛକ ପର୍ଯ୍ୟନ୍ତ ଆସିଥିଲା । ବରଗଡ ଏସ୍ପି ପଦ୍ମିନୀ ସାହୁ ଏହାର ଶୁଭାରମ୍ଭ କରିବା ସହିତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଏବଂ ଯେଉଁ ବାଇକ ଚାଳକ ମାନେ ହେଲମେଟ୍ ପିନ୍ଧିଥିଲେ ଏସପି ସେମାନଙ୍କୁ ଗୋଲାପ ଫୁଲ ଦେଇ ଉତ୍ସାହିତ କରିଥିଲେ।
ଟ୍ରାଫିକ ନିୟମ କଡାକଡି ହୋଇଥିବା ବେଳେ ବରଗଡ ପୋଲିସ ବିଭାଗ ପକ୍ଷରୁ ବୁଧବାର ଲୋକଙ୍କୁ ସଚେତନତା କରାଯାଇଛି | ହେଲମେଟ ପିନ୍ଧି ନଥିବା ଲୋକଙ୍କୁ ପୋଲିସ ଟ୍ରାଫିକ ସଚେତନତା ଲିଫଲେଟ ପ୍ରଦାନ କରି ଟ୍ରାଫିକ ଆଇନ ପାଳନ କରି ଗାଡ଼ି ଚଳାଇବାକୁ ଏସପି ସାହେବା ପରାମର୍ଶ ଦେଇଥିଲେ ।
ତେବେ ବରଗଡରେ ଅକ୍ଟୋବର 2ରେ ଶେଷ ସଚେତନତା କରିବା ପରେ ଗୁରୁବାର ଠାରୁ କଡାକଡି କରାଯିବ ଚେକିଙ୍ଗ ଓ ଫାଇନ ଆଦାୟ । ଏହି ସଚେତନତା କାର୍ଯ୍ୟକ୍ରମରେ ବରଗଡ ପରିବହନ ବିଭାଗର RTO କେଶବ ନାଏକ , MVI ବିଶ୍ଵ ରଞ୍ଜନ ସାହୁ ସମେତ ବିଭିନ୍ନ ସ୍କୁଲ କଲେଜର ସ୍କାଉଟ ଓ NCC ଛାତ୍ରମାନେ ସହଯୋଗ କରିଥିଲେ |
ବରଗଡରୁ ରାଜେସ ସରାପ, ଇଟିଭି ଭାରତ