ବରଗଡ: ବିଜେପୁର ଉପନିର୍ବାଚନର ପ୍ରଚାର ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ ସୋ' କାର୍ଯ୍ୟକ୍ରମ ରହିଥିଲା । ସମୁଦାୟ 30ଟି ଗ୍ରାମକୁ ମୁଖ୍ୟମନ୍ତ୍ରୀ ରୋଡ଼ ସୋ' ଜରିଆରେ ଲୋକଙ୍କ ପାଖରେ ପହଞ୍ଚିଥିଲେ । ଏନେଇ ବରପାଲିଠାରେ ଦେଖାଯାଇଥିଲା ଜନସମୁଦ୍ର ।
ବରପାଲି ଗାନ୍ଧୀ ଛକଠାରେ ବିଜେଡି ଦଳର ଷ୍ଟେଜ ପ୍ରୋଗ୍ରାମ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ଼ ସୋ' କାର୍ଯ୍ୟକ୍ରମ ରହିଥିବା ବେଳେ ଦୀର୍ଘ ଦେଢ ଘଣ୍ଟା ଧରି ବରପାଳି ଗାନ୍ଧୀ ଛକରେ ଦେଖାଯାଇଥିଲା ଟ୍ରାଫିକ ସମସ୍ୟା ।
ଏହାସହ ବରଗଡ଼ ବଲାଙ୍ଗୀର ରାସ୍ତା ଉପରେ ଲୋକଙ୍କ ପ୍ରବଳ ଭିଡ ଯୋଗୁଁ ଉଭୟ ପଟରୁ ଆସୁଥିବା ବହୁ ଯାନବାହାନ ଭିଡ ମଧ୍ୟରେ ଫସି ରହିଥିଲେ । ଉଭୟ ବରଗଡ଼ ଓ ବଲାଙ୍ଗୀର ପଟରୁ ଆସୁଥିବା ବହୁ ଯାତ୍ରୀବାହୀ ବସ ଗୁଡିକ ଯିବା ଆସିବାରେ କଷ୍ଟକର ହୋଇପଡିଥିଲା । ସଙ୍ଗେ ସଙ୍ଗେ ଟ୍ରାଫିକ ପୋଲିସ ଏହାର ସମାଧାନ ପାଇଁ ଲାଗିପଡିଥିଲେ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ