ବରଗଡ: ସଂଘର୍ଷରୁ ସଫଳତା । କେବେ ବ୍ୟର୍ଥ ହୁଏନି କଠିନ ପରିଶ୍ରମ । କିଛି ସଚ୍ଚୋଟ ଏବଂ ପରିଶ୍ରମ ହାତ ହିଁ ସଫଳତା ହାସଲ କରିପାରେ । ସଂଘର୍ଷମୟ ଜୀବନ କାହାଣୀ ସହ 36 ବର୍ଷର ବୁଣାକାର ପେଶାର ଫଳ ସ୍ବରୂପ ମିଳିଥିବା ରାଷ୍ଟ୍ରପତି ପୁରସ୍କାର ହିଁ ଏହି କଥାକୁ ବୟାନ କରୁଛି । ଅଭାବ ଅନଟନକୁ ସଫଳତାର ବାଧକ ଭାବୁଥିବା ଦୁର୍ବଳ ମାନସିକତାର ଲୋକଙ୍କ ପାଇଁ ଆହ୍ବାନ ସାଜିଛନ୍ତି ବରଗଡର ଦେବକୀ ମେହେର ।
ଦିନ ଥିଲା ଅର୍ଥାଭାବରୁ ଅଟକି ଯାଇଥିଲା ଦେବକୀଙ୍କ ପାଠପଢା । ଷଷ୍ଠ ଶ୍ରେଣୀକୁ ବି ଛୁଇଁ ପାରି ନଥିଲେ ଦେବକୀ । ଅଧିକ ପାଠପଢା ଇଚ୍ଛାକୁ ମନରେ ମାରି ବାପାଙ୍କୁ ଲୁଗା ବୁଣିବା କାମରେ ସାହାଯ୍ୟ କରିବାକୁ ଆଗକୁ ଆସିଥିଲେ ସେ । ସମୟ ଗଡିବା ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଦେବକୀ । ବାପାଙ୍କ ଭଳି ସ୍ବାମୀଙ୍କୁ ମଧ୍ୟ ବାନ୍ଧକଳାରେ ସାହାଯ୍ୟ କରିବାକୁ ଲାଗିଲେ । ସ୍ବାମୀଙ୍କୁ ସାହାଯ୍ୟ କରୁ କରୁ ନିଜେ ପାଲଟି ଗଲେ ଜଣେ ଦକ୍ଷ କାରିଗର । ଦେବକୀଙ୍କ ଆକୃଷ୍ଟ କାରିଗରୀର ଦିନକୁ ଦିନ ଚାହିଦା ବଢିବାକୁ ଲାଗିଥିଲା । ଯାହା ତାଙ୍କୁ ରାଷ୍ଟ୍ରପତି ପୁରସ୍କାର ପାଇବାରେ ସହାୟକ ହେଲା ।
ନିଜର କଳା ପାଇଁ ରାଷ୍ଟ୍ରପତି ପୁରସ୍କାର ବ୍ୟତୀତ ସେ ୨୦୧୦-୧୧ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ରାଜ୍ୟସ୍ତରୀୟ ପୁରସ୍କାର, ୨୦୧୧ ରେ ଜାତୀୟ ଉତ୍କର୍ଷ ପୁରସ୍କାର ଏବଂ ୨୦୧୬ ମସିହାରେ ଦଶଫୁଲିଆ ଭୁଲିଆ ଶାଢୀ ପାଇଁ ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି । ଖାଲି ଦେବକୀ ନୁହେଁ ତାଙ୍କ ପରିବାରଲୋକ ମଧ୍ୟ ବାନ୍ଧକଳା ପାଇଁ ବହୁ ଖ୍ୟାତି ଅର୍ଜନ କରିଛନ୍ତି ।
ଦେବକୀଙ୍କ ବଡପୁଅ ବିଚିତ୍ରା ମେହେର ଦଶଫୁଲିଆ ଶାଢୀ ଓ ଡବଲ ଇକଟ ଶାଢୀରେ ୨୦୦୫ ମସିହାରେ ଜାତୀୟ ପୁରସ୍କାର ପାଇଛନ୍ତି, ସାନ ପୁଅ ଶେଷଦେବ ମେହେର ଭାଗବତ ପଞ୍ଚଫୁଲିଆ ଖଦି ଶାଢୀରେ ୨୦୦୯ ମସିହାରେ ଜାତୀୟ ପୁରସ୍କାର ପାଇଛନ୍ତି । ଏପରିକି ତାଙ୍କର ଏକମାତ୍ର ଝିଅ ଶ୍ରଦ୍ଧାଞ୍ଜଳି ମେହେର ମଧ୍ୟ ୨୦୧୧ ମସିହାରେ କଳା ଓ ସଂସ୍କୃତି ଉପରେ ବୁଣାଯାଇଥିବା ଚିତ୍ରପୁରୀ ଶାଢୀରେ ଜାତୀୟ ପୁରସ୍କାର ପାଇଛନ୍ତି ।
ଦେବକୀଙ୍କ ସାରା ପରିବାର ବାନ୍ଧକଳା ପାଇଁ ଯେ କେବଳ ଜାତୀୟ ପୁରସ୍କାର ପାଇଛନ୍ତି ତାହା ନୁହେଁ ଅଞ୍ଚଳ ପାଇଁ ଆଣି ଦେଇଛନ୍ତି ଗର୍ବ ଗୌରବ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ