ବରଗଡ: ରବିବାର ଜିଲ୍ଲାରେ କୋରୋନା ସଂକ୍ରମଣରେ ପ୍ରଥମ ମୃତ୍ୟୁ ଘଟିଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାନୁସାରେ, ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମରେ ୭୬ ବର୍ଷୀୟ ବୃଦ୍ଧ କୋରୋନା ସଂକ୍ରମିତ ଥିଲେ । ଚିକିତ୍ସିତ ବୃଦ୍ଧଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ କିଛି ଦିନ ଚିକିତ୍ସା ହେବା ପରେ ଗତ 19 ତାରିଖ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଜିଲ୍ଲାପ୍ରଶାସନ ପକ୍ଷରୁ ଶନିବାର ତାଙ୍କର ବରାହଗୁଡା ନଦୀକୂଳ ଶ୍ମଶାନରେ ତାଙ୍କର ଶବ ସତ୍କାର କରାଯାଇଛି । ଏହା ପରେ ଶ୍ମଶାନ ଘାଟ ଅଞ୍ଚଳକୁ ସାନିଟାଇଜ କରାଯାଇଥିଲା ।
ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 66ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ 18 ଜଣ ସୁସ୍ଥ ହୋଇଛନ୍ତି । ଏଥିସହ 47ଟି ମାମଲା ଏବେ ବି ସକ୍ରିୟ ରହିଛି । ତେବେ ପ୍ରଥମ ମୃତ୍ୟୁ ମାମଲା ଖବର ପ୍ରଚାରିତ ହେବା ପରେ ଲୋକଙ୍କ ମଧ୍ୟରେ ଭୟର ଆତଙ୍କ ଖେଳିଯାଇଛି । ଅନ୍ୟପଟେ କଟାପାଲି ଗ୍ରାମର ବହୁ ଲୋକ ସଂକ୍ରମିତଙ୍କ ପରିବାର ସମ୍ପର୍କରେ ଆସିଥିବା ବେଳେ ଅନେକ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏବେ ଆଖପାଖ ଗ୍ରାମର ବହୁ ଲୋକେ ସଂକ୍ରମିତଙ୍କ କଣ୍ଟାକ୍ଟରେ ଆସିଥିବାରୁ ପ୍ରଶାସନ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ