ବରଗଡ: ଉତ୍କଳ ଦିବସକୁ ବିରୋଧ କରି କଳା ଦିବସ ପାଳନ କରିଲା କୋଶଳ ସେନା । ଜିଲ୍ଲା ପ୍ରଶାସନ ପକ୍ଷରୁ ବରଗଡରେ ଉତ୍କଳ ଦିବସ ପାଳନ କରାଯାଇଥିବା ବେଳେ କିନ୍ତୁ କୋଶଳ ସେନା ପକ୍ଷରୁ କଳା ଦିବସ ପାଳନ କରିଯାଇଥିଲା । ସ୍ଥାନୀୟ ଗାନ୍ଧୀ ଛକରେ କଳା ପତାକା ଉଡାଇ ବିରୋଧ ପ୍ରଦର୍ଶନ କରିଥିଲା କୋଶଳ ସେନା । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଚାଲିଥିବା ପ୍ରଶାସନିକ କାର୍ଯ୍ୟକ୍ରମକୁ ମଧ୍ୟ ବିରୋଧ କରିବା ସହିତ ନାରାବାଜି କରିବାକୁ ଅନେକ କୋଶଳ ସେନାକୁ ଗିରଫ କରିଛି ପୋଲିସ ।
ଗତକାଲି(ଶନିବାର) ସାରା ରାଜ୍ୟରେ ଉତ୍କଳ ଦିବସ ପାଳନ କରାଯାଉଥିବା ବେଳେ କିନ୍ତୁ ବରଗଡ ଜିଲ୍ଲାବାସୀ ଦୁଇ ଦୁଇଟି ଉତ୍ସବ ପାଳନ କରିଥାନ୍ତି । ପ୍ରଥମତଃ ଉତ୍କଳ ଦିବସ ଏବଂ ଦ୍ଵିତୀୟଟି ହେଉଛି ବରଗଡ ଜିଲ୍ଲା ପ୍ରତିଷ୍ଠା ଦିବସ । ୧୯୯୩ ମସିହା ଗତକାଲିର ଦିନରେ ବରଗଡ ଜିଲ୍ଲା ଭାବେ ପ୍ରତିଷ୍ଠା ହୋଇଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକ ବରଗଡକୁ ଅଭିଭକ୍ତ ସମ୍ବଲପୁର ଜିଲ୍ଲାରୁ ବିଭାଜନ କରି ନୂତନ ଜିଲ୍ଲା ଘୋଷଣା କରିଥିଲେ ।
ତେବେ ଏପ୍ରିଲ ୧କୁ ବରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଦିବସ ଏବଂ ବରଗଡ ଜିଲ୍ଲା ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଇଥାଏ । ତେବେ ଜିଲ୍ଲା ପ୍ରଶାସନ ତରଫରୁ ଉତ୍କଳ ଦିବସ ପାଳନ ଉପଲକ୍ଷେ କାର୍ଯ୍ୟକ୍ରମ ଗୁଡିକ ଆୟୋଜିତ ହୋଇଥିବା ବେଳେ ସନ୍ଧ୍ୟାରେ ସ୍ଥାନୀୟ ବିଜୁପଟ୍ଟନାୟକ ଟାଉନ ହଲଠାରେ ଆୟୋଜିତ କାର୍ଯ୍ୟକ୍ରମକୁ କୋଶଳ ସେନା କଳା ପତାକା ଦେଖାଇ ତୀବ୍ର ବିରୋଧ କରିବା ସହିତ ହଙ୍ଗାମା କରିଥିଲେ ।
ତେବେ ଘଟଣା ସ୍ଥଳରେ ପୂର୍ବ ପ୍ରସ୍ତୁତ ପୋଲିସ ଫୋର୍ସ କୋଶଳ ସେନାର ସମସ୍ତ ଆନ୍ଦୋଳନକାରୀଙ୍କୁ ଗିରଫ କରି ଟାଉନ ଥାନାରେ ଅଟକ ରଖିଥିଲା । ରାଜ୍ୟ ସରକାର ପୂର୍ବ ଓଡିଶାରେ ଯେଉଁ ଭଳି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ହେଉ କିମ୍ବା ପର୍ଯ୍ୟଟନସ୍ଥଳୀ ମାନଙ୍କର ବିକାଶ ଓ କୃଶକଙ୍କ ବିକାଶ କରୁଛନ୍ତି ସେହି ତୁଳନାରେ ପଶ୍ଚିମ ଓଡିଶାକୁ ଆଦୌ ଗୁରୁତ୍ଵ ଦେଉନଥିବା ବେଳେ ପଶ୍ଚିମ ଓଡ଼ିଶାକୁ ସଂପୂର୍ଣ୍ଣ ଅବହେଳା କରାଯାଉଥିବା ଅଭିଯୋଗ କରିଛନ୍ତି କୋଶଳ ସେନା । ଯାହାଫଳରେ ପଶ୍ଚିମ ଓଡିଶାବାସୀ ଦୁଃଖ ଓ ଯନ୍ତ୍ରଣା ଭୋଗୁଛନ୍ତି । ସେଥିପାଇଁ ପଶ୍ଚିମ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ଦାବି ପାଇଁ ଆନ୍ଦୋଳନ କରୁଥିବା କୋଶଳ ସେନା ଉତ୍କଳ ଦିବସକୁ ବିରୋଧ ପ୍ରଦର୍ଶନ କରି ନିଜର ଦାବିକୁ ସରକାରଙ୍କ ନିକଟକୁ ପହଞ୍ଚାଇବାକୁ ଉଦ୍ୟମ କରୁଛି ବୋଲି କୋଶଳ ସେନା ପକ୍ଷରୁ କୁହାଯାଇଛି ।
ଇଟିଭି ଭାରତ, ବରଗଡ