ବରଗଡ: ସମଗ୍ର ଦେଶରେ କୋରୋନାକୁ ନେଇ ଲକଡାଉନ ଘୋଷଣା କରାଯାଇଥିବା କିଛି ଲୋକେ ଏହାକୁ ଅଣଦେଖା କରି ବାହାରେ ବୁଲୁଥିବାର ଦେଖିବାକୁ ମିଳୁଛି | ଏଥିରେ ଚିନ୍ତା ପ୍ରକଟ କରି ଜଣେ ପୋଲିସ କର୍ମଚାରୀ ନିଜ କବିତା ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଛନ୍ତି । ଯାହାର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ।
କିଛିଦିନ ତଳେ ସରକାରଙ୍କ ପରାମର୍ଶକୁ ପାଳନ କରିବା ପାଇଁ ବରଗଡ ଜିଲ୍ଲାର ପଦ୍ମଶ୍ରୀ ହଳଧର ନାଗ ହାତଯୋଡି ଲୋକଙ୍କୁ ବିନତି କରିଥିଲେ । ସେହିପରି ପୋଲିସ ବିଭାଗରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିବା ରଞ୍ଜିତ ପ୍ରଧାନ ନିଜେ ଡ୍ୟୁଟିରେ ରହି ଦିନରାତି ଲୋକଙ୍କୁ ସଚେତନ କରିବା ସହ ଲକଡାଉନକୁ ଅମାନ୍ୟ କରୁଥିବା ଲୋକଙ୍କୁ ନିଜ କବିତା ମାଧ୍ୟମରେ ସଚେତନ କରାଇବା ପାଇଁ ଏକ ଉଦ୍ୟମ ଚଳାଇଛନ୍ତି |
ରଞ୍ଜିତ ପ୍ରଧାନ ସମ୍ବଲପୁରୀ କୋଷଳୀ ଭାଷାରେ କୋରୋନାକୁ ନେଇ ସୁନ୍ଦର କବିତା ତିଆରି କରିଛନ୍ତି ଏବଂ ସୋସିଆଲ ମିଡିଆ ମାଧ୍ୟମରେ ସେ ଲୋକଙ୍କ ପାଖକୁ ପହଞ୍ଚାଇ ସଚେତନ କରିବାର ଏକ ସୁନ୍ଦର ପ୍ରୟାସ କରିଛନ୍ତି | ତାଙ୍କର ଏହି ସମ୍ବଲପୁରୀ କବିତାଟି ଖୁବ ହୃଦୟସ୍ପର୍ଶୀ ହୋଇଥିବା ବେଳେ ଏହି କବିତାଟି ଏବେ ଲୋକଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରୁଛି | ପୋଲିସ କର୍ମଚାରୀ ରଞ୍ଜିତଙ୍କର ଏହି ପ୍ରୟାସକୁ ବରଗଡବାସୀ ଖୁବ୍ ପ୍ରଶଂସା କରିଛନ୍ତି |
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ