ବରଗଡ: କୋରୋନା ଯୋଗୁଁ ସାମାଜିକ ସନ୍ତୁଳନ ବିଗିଡ଼ିବାରେ ଲାଗିଛି। କୋରୋନା ଭୟରେ ମୃତଦେହ ପାଖକୁ ଆସିଲେନି ଗ୍ରାମବାସୀ। ଅନ୍ତିମ ସଂସ୍କାର ପାଇଁ ମିଳିଲାନି 4 କାନ୍ଧ । ଶେଷରେ ମାନବିକତାର ପରିଚୟ ଦେଇ ସହାୟତାର ହାତ ବଢେଇଲେ ସ୍ଥାନୀୟ ସରପଞ୍ଚ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମରେ ।
ସୂଚନା ମୁତାବକ, ଗୁରୁବାର ପ୍ରାୟ ଅପରାହ୍ନ ଚାରିଟା ସମୟରେ ତାଲପାଲି ଗ୍ରାମର ନବେ ମିର୍ଦ୍ଧା ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିଲା । ସେ ପ୍ରାୟ କୋଡିଏ ଦିନ ଧରି ଜ୍ବରରେ ଆକ୍ରାନ୍ତ ଥିବାବେଳେ ଗୁରୁବାର ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇଥିଲା । ଏହାପରେ ତାଙ୍କୁ ଉପଖଣ୍ଡସ୍ଥ ଚିକିତ୍ସାଳୟକୁ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ଯୁବକଙ୍କ ମୃତ ଦେହକୁ ତାଲପାଲି ଅଣାଯାଇଥିଲା ।
ତେବେ ମୃତ ବ୍ୟକ୍ତିଙ୍କର ବଡଭାଇ, ବିଧବା ମା ଏବଂ ଭାଉଜକୁ ଛାଡିଦେଲେ ଘରେ ଆଉ କେହି ନାହିଁ । କୋରୋନା ଭୟରେ ତାଙ୍କ ବନ୍ଧୁ ବାନ୍ଧବ ବି କାନ୍ଧ ଦେବାକୁ ଆସିନଥିଲେ। ମୃତଦେହ ଦୀର୍ଘ ଚାରିଘଣ୍ଟା ଧରି ଘରେ ପଡିରହିଥିବା ଜାଣି ସ୍ଥାନୀୟ ସରପଞ୍ଚ ସୁଶାନ୍ତ କୁମାର ସାହୁ କାନ୍ଧ ଦେବାକୁ ଆଗେଇ ଆସିଥିଲେ । ତାଙ୍କ ପ୍ରେରଣାରେ ଗ୍ରାମର କିଛି ଯୁବକ ମଧ୍ୟ ମୃତଦେହକୁ କାନ୍ଧଦେବାପାଇଁ ଆଗେଇ ଆସିଥିଲେ। ତେବେ ଏହିଭଳି ଘଡିସନ୍ଧି ମୁହୁର୍ତ୍ତରେ ମାନବିକତାର ପରିଚୟ ଦେଇଥିବାରୁ ସୁଶାନ୍ତ କୁମାରଙ୍କୁ ପ୍ରଶଂସା କରାଯାଉଛି ।
ବରଗଡରୁ ରାଜେଶ ସରାଫ, ଇଟିଭି ଭାରତ