ବରଗଡ: ବିଶ୍ବକୁ କରୋନା ଭୂତାଣୁ ଆତଙ୍କିତ କରିଥିବାବେଳେ ବଜାରରେ ମାସ୍କ, ସାନିଟାଇଜର, ହାଣ୍ଡୱାସ ଆଦିର ଚାହିଦା ବହୁଳ ମାତ୍ରାରେ ବୃଦ୍ଧି ପାଇଛି । ଏମିତି ସ୍ଥିତିରେ ଏବେ ଏହାର କଳାବଜାରୀ ଆରମ୍ଭ ହୋଇଯାଇଛି । କିଛି ଲୋକ ଏହାକୁ ସୁବର୍ଣ୍ଣ ସୁଯୋଗ ମନେ କରି ଚଢା ଦରରେ ଏସବୁ ଜିନିଷ ବିକ୍ରି କରି ଦୁଇ ପଇସା ରୋଜଗାର କରିବାର ବାଟ ଖୋଜି ନେଉଛନ୍ତି । କିନ୍ତୁ ବରଗଡର ଗୋଟିଏ ଔଷଧ ଦୋକାନରେ କରୋନା ଭୂତାଣୁର ପ୍ରତିଷେଧକ ମିଳୁଥିବାର ବ୍ୟାନର ଲଗାଯାଇଥିବା ନଜର ଆସିଛି ।
ନୋବେଲ କରୋନା ବା 'Covid- 19' ଭାଇରସ ଉପରେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିଷେଧକ ବା ଔଷଧ ପ୍ରାମାଣିକ ଭାବରେ ନିର୍ମାଣ କରାଯାଇନାହିଁ । ଏପରିକି ଏହା ଉପରେ ପ୍ରତିଷେଧକ ଭାବରେ କୌଣସି ପରୀକ୍ଷଣ ସଫଳ ମଧ୍ୟ ହୋଇନାହିଁ । ତେବେ ଏମିତି ସ୍ଥିତିରେ କରୋନା ଭାଇରସର ପ୍ରତିଷେଧକ ବ୍ୟାନର ଲଗାଇ ବରଗଡବାସୀଙ୍କୁ ଭ୍ରାନ୍ତ କରାଯାଉଥିବା ଅଭିଯୋଗ ହୋଇଛି ।
ସେପଟେ ଥଣ୍ଡା ଜ୍ବର ପ୍ରଭାବରେ କରୋନା ହେଉଥିବା ବେଳେ ଥଣ୍ଡା ଜ୍ବର ନହେବାକୁ ମେଡିସିନ ବିକ୍ରି କରାଯାଉଛି । କିନ୍ତୁ ଏହାକୁ ଖାଇବା ପରେ ଲୋକେ ଆଉ କରୋନାରେ ଆକ୍ରାନ୍ତ ହେବେ ନାହିଁ ବୋଲି ତାହାର କୌଣସି ଗ୍ୟାରେଣ୍ଟି ଦିଆଯାଇ ପାରିବନାହିଁ ବୋଲି କହିଛନ୍ତି ଉକ୍ତ ଦୋକାନୀ । ଅନ୍ୟପଟେ ଖୋଦ ଦୋକାନୀ ନିଜ ଦୋକାନରେ ଏହି ବ୍ୟାନରଟି ଲଗାଇ ଥିବାବେଳେ ଓଲଟା ଲୋକେ ଏହାକୁ ଗୁଜବ କରୁଛନ୍ତି ବୋଲି କହିଛନ୍ତି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ