ବରଗଡ: ଜନସାଧାରଣଙ୍କ ବିନା ଅବଗତରେ ବରଗଡ ଟାଉନରେ ଥିବା ପୁରୁଣା ହସ୍ପିଟାଲକୁ ସଟଡାଉନ କରିଦିଆଯାଇଛି । ଯାହାକୁ ନେଇ ବରଗଡବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ହସ୍ପିଟାଲରେ ଅଧିକାଂଶ କର୍ମଚାରୀ କୋରୋନା ସଂକ୍ରମିତ ହେବା ପରେ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ହସ୍ପିଟାଲକୁ 3 ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ।
ଏପରି ସ୍ଥିତିରେ ସ୍ଥାନୀୟ ଲୋକେ ହସ୍ପିଟାଲକୁ ସାନିଟାଇଜ କରିବା ସହ ଅନ୍ୟତ୍ର ଡାକ୍ତରଙ୍କୁ ଆସି ଏଠାରେ ଚିକିତ୍ସା କରିବାକୁ ଦାବି କରିଛନ୍ତି । ହସ୍ପିଟାଲ ସଟଡାଉନକୁ ସଂପୂର୍ଣ୍ଣ ବିରୋଧ କରିଛନ୍ତି । ବରଗଡ ଟାଉନ ଭିତରେ ରହିଥିବା ପୁରୁଣା ହସ୍ପିଟାଲରେ କୋଭିଡ ପରୀକ୍ଷା ଆରମ୍ଭ କରାଯାଇଥିଲା ଯାହାକୁ ସ୍ଥାନୀୟ ଲୋକେ ପ୍ରବଳ ବିରୋଧ କରିଥିଲେ ।
ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସୁରକ୍ଷା ଦୃଷ୍ଟିରେ ହସ୍ପିଟାଲ ଭିତରେ କୋଭିଡ଼ ପରୀକ୍ଷା କରାନଯାଇ ଅନ୍ୟତ୍ର କୌଣସି ନିର୍ଜନ ସ୍ଥାନରେ ଏହି ପରୀକ୍ଷା କରାଯିବାକୁ ଦାବି କରିଥିଲେ ମାତ୍ର ପ୍ରଶାସନ ଏହାକୁ ଖାତିର କରିନଥିଲା । ଯାହାର ପରିଣାମରେ ଆଜି ହସ୍ପିଟାଲକୁ ସଟଡାଉନ କରିବାକୁ ପଡିଲା । ତେବେ ଏହି ଘଟଣାରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ CDMO ଙ୍କୁ ଘେରିଥିଲେ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ