ବରଗଡ: ଗଣତନ୍ତ୍ରରେ ରାଜତନ୍ତ୍ରର ରାଜ । ଏହି ରାଜ ଦରବାରରେ ଚାଲେ ପ୍ରବଳ ପ୍ରତାପୀ ମହାରାଜ କଂସଙ୍କ ରାଜୁତି । ଆମେ କହୁଛୁ ବିଶ୍ବର ସର୍ବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପରିଚିତ ବରଗଡ ଧନୁଯାତ୍ରା କଥା ।
ଦିନ କେଇଟା ପରେ ବରଗଡ଼ ମୁକ୍ତାକାଶର ରଙ୍ଗ ମଞ୍ଚରେ ଅନୁଷ୍ଠିତ ହେବ ଧନୁଯାତ୍ରା । ଏଠାରେ ଖଳନାୟକ ହିଁ ମୁଖ୍ୟ ଚରିତ୍ର । ଏହି ମୁଖ୍ୟ ଚରିତ୍ର ହେଉଛି କଂସ ଚରିତ୍ର । ଯାହାର ଅଭିନୟକୁ ନେଇ ଚାରିଆଡେ ଚର୍ଚ୍ଚା ହୁଏ । ତେବେ ଆଜି ପର୍ଯ୍ୟନ୍ତ ଧନୁଯାତ୍ରା ଇତିହାସରେ 9ଜଣ କଳାକାର କଂସ ଭୂମିକାରକୁ ମଞ୍ଚ ଉପରେ ଜୀବନ୍ତ କରି ଫୁଟାଇଛନ୍ତି । ଦୀର୍ଘ 71 ବର୍ଷ ଧରି ଚାଲିଆସିଥିବା ଏହି ଧନୁଯାତ୍ରା ପାଇଁ ଆଜି ବି ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳେ ।
ପ୍ରଥମ କରି 1948ମସିହା ଜାନୁଆରୀ 26ରେ ଏହି ନାଟକର ଶୁଭାରମ୍ଭ ହୋଇଥିଲା । ଅଧର୍ମ ଉପରେ ଧର୍ମର ଜୟ ବାର୍ତ୍ତାକୁ ନେଇ ଏହି ପୌରାଣିକ ନାଟକ ପରିବେଶିତ ହୁଏ । ଏଠାରେ କେହି ଦର୍ଶକ ନୁହନ୍ତି, ସମସ୍ତେ ଜଣେ ଜଣେ କଳାକାର । ତେବେ ଧନୁଯାତ୍ରାର ପ୍ରଥମ କଂସ ଭୂମିକାରେ ନଜର ଆସିଥିଲେ ବୁନ୍ଦି ରଥ । ଏହା ପରେ 1950ରେ ଭୀମସେନ ତ୍ରିପାଠୀ ।
୧୯୫୭ ମସିହାରୁ ୧୯୭୧ ମସିହା ପର୍ଯ୍ୟନ୍ତ ଦୀର୍ଘ 15 ବର୍ଷ ଧରି ରାଜକୀୟ ଢଙ୍ଗରେ କଂସ ଭୂମିକା ନିଭାଇଥିଲେ ଯୁଧିଷ୍ଠୀର ଶତପଥୀ । ଏହାପରେ ଗୋଟିଏ ବର୍ଷ ପାଇଁ କଂସ ଚରିତ୍ରର ସୁଯୋଗ ପାଇଥିଲେ ରାଧେଶ୍ୟାମ ଦାସ । କିନ୍ତୁ ଦର୍ଶକ ମନରେ ଏକ ଅନନ୍ୟ ଛବି ଛାଡିଯାଇଥିଲେ ଯୁଧିଷ୍ଠୀର ଶଥପଥୀ । ସେଥିପାଇଁ ତ ପୁଣି ଥରେ ସେହି ମଞ୍ଚ ଉପରକୁ ସେ ଫେରିଥିଲେ । ୧୯୭୪ ରୁ ୧୯୮୦ ପୁଣି 6 ବର୍ଷ ପାଇଁ କଂସ ସାଜିଥିଲେ ଯୁଧିଷ୍ଠୀର ।
ପର୍ଯ୍ୟାୟକ୍ରମେ ରାଧେଶ୍ୟାମ ଦାସ, ଦେବେନ୍ଦ୍ର ବିଶ୍ବାଳ ଗୋଟିଏ ଗୋଟିଏ ବର୍ଷ ପାଇଁ ସୁଯୋଗ ପାଇଥିଲେ । 1982ରୁ 83 ଦୁଇ ବର୍ଷ ଧରି ନିଳାଞ୍ଚଳ ଦାସ କଂସ ଚରିତ୍ରରେ ନଜର ଆସିଥିଲେ । ୧୯୮୪ ରୁ ୧୯୯୮ ଦୀର୍ଘ ୧୫ ବର୍ଷ ଧରି ଲଗାତାର ଗୋପାଳ ସାହୁ ( ଏଲି ) ନାମକ ଜଣେ ପୋଲିସ କର୍ମଚାରୀ ତାଙ୍କର ନିଖୁଣ ଅଭିନୟ ଯୋଗୁଁ ସୁପ୍ରସିଦ୍ଧ ହୋଇ ପାରିଥିଲେ |
ଏହା ପରେ ୧୯୯୯ ଓ ୨୦୦୦ ପାଇଁ କଂସ ହୋଇଥିଲେ ଭୁବନେଶ୍ବର ପ୍ରଧାନ । ତେବେ ପୁଣି ଥରେ ଗୋପାଳ ମଥୁରାନରେଶ ସାଜଛନ୍ତି । 2001ରୁ 2008ଯାଏଁ ଅଭିନୟ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତେବେ ସର୍ବାଧିକ କଂସ ଭାବେ ଗୋପାଳ ସାହୁଙ୍କ ନାଁ ଜଣାଯାଏ । ହେଲେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଯୋଗୁଁ ପରେ 2009 ଓ 2016 ପାଇଁ ଜଣେ ସରକାରୀ ଡ୍ରାଇଭରଙ୍କୁ ସୁଯୋଗ ମିଳିଥିଲା କଂସ ଭୂମିକା ।
2017 ମସିହାରେ ପୁଣି ଥରେ ଭୁବନେଶ୍ବର ପ୍ରଧାନଙ୍କୁ ସୁଯୋଗ ମିଳିଥିଲା । ତେବେ ଚଳିତ ବର୍ଷ ମଧ୍ୟ ଭୁବନେଶ୍ବର ପ୍ରଧାନ ସାଜିବେ ମଥୁରା ନରେଶ ।
ଏକ ପ୍ରାକୃତିକ ପରିବେଶରେ କୃଷ୍ଣ ଜନ୍ମ ଓ କଂସ ବଦ୍ଧ ଅତି ଚମତ୍କାର ଭାବେ ପରିବେଷଣ କରିଥାନ୍ତି କଳାକାର । ତେବେ ନାୟକ ସାଜି ତ ସମସ୍ତେ ସାଉଁଟନ୍ତି ଅନେକ ପ୍ରସଂଶା । କିନ୍ତୁ ବିଶ୍ବର ସର୍ବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚର ଖଳନାୟକ ସାଜୁଥିବା ମହାରାଜ କଂସ ହି ସାଜନ୍ତି ଧନୁଯାତ୍ରା ଆକର୍ଷଣର କେନ୍ଦ୍ରବିନ୍ଦୁ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ