ବରଗଡ: ସୁଶାସନ ପାଇଁ ରାଜ୍ୟରେ ଲାଗୁ ହୋଇଛି ‘ମୋ ସରକାର ଯୋଜନା’ । ହେଲେ ବରଗଡ ଜିଲ୍ଲାରେ ପୋଲିସ ବିଭାଗରେ ‘ମୋ ସରକାର ଯୋଜନା’ ଫେଲ ମାରିଥିବା ଅଭିଯୋଗ ହୋଇଛି । ନ୍ୟାୟ ପାଇଁ ଥାନାକୁ ଯାଇ ନିରାଶ ହେଲେ ବରଗଡ ଜିଲ୍ଲା ଝାରବନ୍ଦ ଥାନା ଅଧିନସ୍ଥରେ ରହୁଥିବା ପୁରନ ସୁନାଙ୍କ ପରିବାର ।
ସୂଚନା ଅନୁଯାୟୀ, ଜିଲ୍ଲାର ଜାମପାଲି ଗାଁରେ ରହୁଥିବା ପୁରନ ସୁନାଙ୍କ ପରିବାର ଏକ ସରକାରୀ ଜାଗାରେ ଇନ୍ଦିରା ଆବାସ ଯୋଜନାରେ ଘର କରି ଦୀର୍ଘଦିନରୁ ରହିଆସୁଥିଲେ। କିନ୍ତୁ ଉକ୍ତ ଗ୍ରାମର ମଙ୍ଗଳ ପ୍ରଧାନ ନାମକ ଏକ ବ୍ୟକ୍ତି ଏହି ପରିବାର ସଦସ୍ୟଙ୍କୁ ନିସ୍ତୁକ ମାଡମାରି ଘରୁ ତଡିଦେଇଥିଲା । ଏନେଇ ପୁରନଙ୍କ ପରିବାରଲୋକେ ଝାରବନ୍ଦ ଥାନାର ଦ୍ବାରସ୍ଥ ହୋଇଥିଲେ । ହେଲେ ପୋଲିସ ସେମାନଙ୍କ ଅଭିଯୋଗ ଶୁଣୁଥିବା ସେମାନେ ଅଭିଯୋଗ କରିଛନ୍ତି । ଏପରିକି ପୋଲିସ ସେମାନଙ୍କୁ ର୍ଦୁବ୍ୟବହାର କରୁଥିବା ସେମାନେ କହିଛନ୍ତି । ଅନ୍ୟପଟେ ଘର ନଥିବାରୁ ଏ ବେସାହାରା ପରିବାର ଏବେ ଜଙ୍ଗଲରେ ରହୁଛନ୍ତି ।
ଗୋଟେ ପଟେ ରାଜ୍ୟ ସରକାର ଜନସାଧାରଣଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରି ନମ୍ରତାର ସହିତ କଥାବାର୍ତ୍ତା ହେବାପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିବା ବେଳେ କିନ୍ତୁ ଝାରବନ୍ଦ ଥାନାର ମହିଳା ପୋଲିସ ନାମରେ ଓଲଟା ଅଭିଯୋଗ ଆସିଛି । ତେବେ ଏ ସମ୍ପର୍କରେ ଝାରବନ୍ଦ ଥାନାର ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ