ବରଗଡ଼: ବରଗଡ ଜିଲ୍ଲାରେ ଥିବା ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିରରୁ ଚୋରି ହୋଇଛି । ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ମନ୍ଦିରର ତିନୋଟି ଛୋଟ ଦାନବାକ୍ସ ସହ ମୁଖ୍ୟ ଦାନବାକ୍ସର ସବୁ ଟଙ୍କା ଚୋରି କରିନେଇ ଯାଇଛନ୍ତି । ପୁରା ଘଟଣା ମନ୍ଦିରର ସିସିଟିଭିରେ କଏଦ ହୋଇଛି । ଏନେଇ ପାଇକମାଳ ଥାନାରେ ଅଭିଯୋଗ ହୋଇଛି । ବରଗଡ ପୋଲିସ ପ୍ରଶାସନ ଏହି ଘଟଣାକୁ ଗୁରୁତ୍ଵର ସହିତ ନେଇ ତଦନ୍ତ ଆରମ୍ଭ କରିଛି । ସନ୍ଧାନୀ କୁକୁର ଓ ସାଇଣ୍ଟଫିକ ଟିମର ସହାୟତାରେ ପୋଲିସ ଚୋରମାନଙ୍କୁ ଧରିବାକୁ ଛାନଭିନ୍ ଚଳାଇଛି ।
ସୂଚନା ଅନୁଯାୟୀ, ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅଞ୍ଚଳରେ ଅବସ୍ଥିତ ନୃସିଂହନାଥ ପୀଠରେ ଗତ ବିଳମ୍ବିତ ରାତିରେ ତାଲା ଭାଙ୍ଗି ମନ୍ଦିରର ଦାନବାକ୍ସ ଚୋରି ହୋଇଥିବା ପାଇକମାଲ ଥାନାରେ ଅଭିଯୋଗ ହୋଇଛି । ମହାପ୍ରଭୁଙ୍କ ଗର୍ଭଗୃହ ସମ୍ମୁଖରେ ଚାରିଗୋଟି ଦାନବାକ୍ସ ରହିଥିଲା । ସେଥିମଧ୍ୟରୁ ତିନୋଟି ଛୋଟ ଓ ଗୋଟିଏ ମୁଖ୍ୟ ଦାନବାକ୍ସ ଥିଲା । ଗତ ବିଳମ୍ବିତ ରାତିରେ ପ୍ରାୟ ୧ ରୁ ୨ଟା ସମୟ ମଧ୍ୟରେ ତିନି ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ତାଲା ଭାଙ୍ଗି ମନ୍ଦିର ଭିତରେ ପ୍ରବେଶ କରିଥିଲେ । ବଡ ଦାନବାକ୍ସକୁ ଭାଙ୍ଗି ସବୁ ଟଙ୍କା ନେବା ସହ ତିନୋଟି ଛୋଟ ଦାନବାକ୍ସ ନେଇ ଯାଇଛନ୍ତି । ଚୋରିର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି । ଏନେଇ ପାଇକମାଲ ଥାନା କେସ ସଂଖ୍ୟା ୧୯୪/୨୩ରେ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରଖିଛି ପୋଲିସ ।
ଏହାମଧ୍ୟ ପଢନ୍ତୁ: ମନ୍ଦିରକୁ ଛାଡିଲେନି ଚୋର, ଲୁଟିନେଲେ ମା’ ଉଗ୍ରତାରାଙ୍କ ସୁନା ଅଳଙ୍କାର
ପାଇକମାଳ ଥାନା ଅଧିକାରୀ ସୁଶାନ୍ତ କୁମାର ବଢେଇ ଏବଂ ଉଚ୍ଚ ପଦାଧିକାରୀ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ଓ ସାଇଣ୍ଟଫିକ ଟିମର ସହାୟତାରେ ଅଧିକ ତଦନ୍ତ କରିଛନ୍ତି । ପାଇକମାଳ ପୋଲିସ ଦୁଇ ଜଣଙ୍କୁ ସନ୍ଦେହରେ ଉଠାଇ ଆଣି ଅଟକ ରଖି ପଚରାଉଚରା କରୁଛି । ଅନ୍ୟପଟେ ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥା ଯୋଡି ହୋଇଥିବା ଶ୍ରୀ ନୃସିଂହନାଥଙ୍କ ପୀଠରେ ଏପରି ତାଲା ଭାଙ୍ଗି ଚୋରି ହେବା ଘଟଣାକୁ ନେଇ ମନ୍ଦିରର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି ଲୋକେ । ଶୀଘ୍ର ଚୋରମାନଙ୍କୁ ଗିରଫ କରି ଦଣ୍ଡିତ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।
ଇଟିଭି ଭାରତ, ବରଗଡ଼