ବରଗଡ: ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ଆଠବର୍ଷର କୁନି ଝିଅ ଆଲିଶା ସିଂଘଳ । ଆଖି ବୁଜି ମଧ୍ୟ ସବୁକିଛି ଦେଖି ଓ ଚିହ୍ନି ପାରୁଛନ୍ତି । ଆଲିଶାଙ୍କ ଠାରେ ଏପରି ଆଶ୍ଚର୍ଯ୍ୟ ଜନକ ପ୍ରତିଭା ଦେଖା ଦେଇ ଥିବାରୁ ସାରା ବରଗଡରେ ଏବେ ଚହଳ । ବରଗଡ ଶ୍ୟାମାକାଳୀ ଏନକ୍ଳେଭରେ ରହୁଥିବା ଅଗ୍ରୱାଲ ପରିବାରଙ୍କ ପାଇଁ ଆଲିଶାଙ୍କ ଏହି ପ୍ରତିଭା ବେଶ ଖୁସି ଆଣି ଦେଇଛି ।
ଗତ ଗୁରୁବାର ଦିନଠାରୁ ତାଙ୍କ ଭିତରେ ଏହି ଆଶ୍ଚର୍ଯ୍ୟ ଜନକ ପ୍ରତିଭା ରହିଥିବା ସେ ଜାଣିପାରିଥିଲେ ।
କୁନି ଝିଅ ଆଲିଶାଙ୍କ ଆଖିରେ କଳା କନା ବାନ୍ଧିଦେଇ ତାଙ୍କ ସାମନାରେ କଣ ଅଛି କହିଲେ ସେ ତୁରନ୍ତ ଏହାର ଉତ୍ତର ଦେଇପାରୁଛନ୍ତି । ଏପରିକି ବିଭିନ୍ନ ରଙ୍ଗ, ତାସର ଚିହ୍ନ , ସଂଖ୍ୟା , ATM କାର୍ଡ ଚିହ୍ନଟ ସହିତ ଅତି ସହଜରେ ବହିରେ କଣ ଲେଖା ହୋଇଛି ପଢିପାରୁଛନ୍ତି ।
ଏତଦ୍ ବ୍ୟତୀତ ତାଙ୍କ ସମ୍ମୁଖରେ କିଏ ଛିଡା ହୋଇଛନ୍ତି ଆଖି ବନ୍ଦ କରି ମଧ୍ୟ ଚିହ୍ନି ପାରୁଛନ୍ତି । ତାଙ୍କର ଏହି ପ୍ରତିଭା ଜାଣିବା ପରେ ପାଖ ପଡୋଶୀ ସମସ୍ତେ ତାଙ୍କର ଏହି ପ୍ରତିଭାକୁ ଦେଖିବା ପାଇଁ ଘରେ ଭିଡ ଜମାଉଛନ୍ତି । ଆଲିଶା ଆଖି ବନ୍ଦ କରି ଯେଉଁ ଅଜଣା ଜିନିଷକୁ ଚିହ୍ନିପାରୁଛନ୍ତି ତାହା ଜନସାଧାରଣଙ୍କ କଳ୍ପନା ବାହାରେ । ବିନା କୌଣସି ପ୍ରଶିକ୍ଷଣରେ ଏପରି କୌଶଳ ଦକ୍ଷତା ବିକଶିତ ହେବାକୁ ନେଇ ତାଙ୍କ ବାପା ଆଶଙ୍କା ଭିତରେ ରହିଥିବା ବେଳେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ