ବରଗଡ: ରାଜ୍ୟ ସରକାରଙ୍କ ଭୁଲ ନିଷ୍ପତ୍ତି କାରଣରୁ ବହୁ ଦାଦନ ଶ୍ରମିକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଶ୍ରମିକଙ୍କ ଏପରି ଅସୁବିଧା ଆଗରେ ବରଗଡ ଜିଲ୍ଲା ପ୍ରଶାସନ ମଧ୍ୟ ସମାଧାନ କରିନପାରି ହାତ ଟେକି ଦେଇଛି । ଶ୍ରମିକଙ୍କ ପ୍ରକୃତ ଅସୁବିଧାକୁ ଜିଲ୍ଲା ପ୍ରଶାସନ ହୃଦୟଙ୍ଗମ କରିଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ଅଜବ ନିୟମ ଯୋଗୁଁ ଜିଲ୍ଲାପ୍ରଶାସନ ମଧ୍ୟ ଅସହାୟ ହୋଇପଡିଥିବା ଜଣାପଡିଛି।
ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳରୁ ଅନ୍ୟ ରାଜ୍ୟ ଓ ଜିଲ୍ଲାକୁ ଦାଦନ ଖଟି ଯାଇଥିବା ବହୁ ଶ୍ରମିକ ଫେରୁଥିବା ବେଳେ ସମସ୍ତଙ୍କୁ ଗ୍ରାମ ଭିତରକୁ ଲୋକେ ପୁରାଇଦେଉନାହାନ୍ତି । ଅନ୍ୟପଟେ ରାଜ୍ୟ ସରକାର କେବଳ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଇଥିବା ଶ୍ରମିକ ମାନଙ୍କ ପାଇଁ ଖାଇବା ଓ ରହିବାର ବ୍ୟବସ୍ଥା କରିଛନ୍ତି ଓ ଅନ୍ୟ ଜିଲ୍ଲା ବା ରେଡ ଜୋନ ଅଞ୍ଚଳରୁ ଫେରିଥିବା ଶ୍ରମିକମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ ।
ଏପରି ପରିସ୍ଥିତିରେ ଶ୍ରମିକ ମାନେ ନା ନିଜ ଘରକୁ ଯାଇ ପାରୁଛନ୍ତି ନା ବାହାରେ ରହି ପାରୁଛନ୍ତି । ଭୋକ ଉପାସରେ ଅସହାୟ ଅବସ୍ଥାରେ ଗ୍ରାମ ବାହାରେ ପଡିରହିଛନ୍ତି । ଏହି ଶ୍ରମିକ ମାନଙ୍କ ପାଇଁ ଏବେ ନିଜ ଖାଦ୍ୟ ନିଜେ ଯୋଗାଡ କରିବା କଷ୍ଟକର ହୋଇପଡିଛି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ନିହାତି ଜରୁରୀ ହୋଇପଡିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ