ବରଗଡ: ଦୀର୍ଘ ବର୍ଷ ପରେ ଆଜି (ସୋମବାର) ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅମ୍ବାଭୋନା ବ୍ଲକ ଅଞ୍ଚଳରେ ମାଓବାଦୀ ତାଙ୍କର ଉପସ୍ଥିତି ଜାହିର କରିଛନ୍ତି । କେନ୍ଦୁପତ୍ର ଫଡ଼ିକୁ ନିଆଁ ଲଗାଇବା ପରେ ମାଓବାଦୀ ମାନେ ଏକ ପୋଷ୍ଟରରେ ନିଜର ଦାବି ଜଣାଇଛନ୍ତି । ତେବେ ଲାଲ ରଙ୍ଗର ଏହି ପୋଷ୍ଟରରେ ହିନ୍ଦୀ ଭାଷାରେ ଲେଖାଥିବା ବେଳେ ପ୍ରକୃତରେ ଏହା ମାଓବାଦୀଙ୍କ କାମ ନାଁ କୌଣସି ଦୁର୍ବୃତ୍ତର କାମ ସେନେଇ ସନ୍ଦେହ ପ୍ରକାଶ କରିଛି ଅମ୍ବାଭୋନା ପୋଲିସ ।
ସୂଚନା ଅନୁଯାୟୀ, ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକର ଲଖନପୁର ନିକଟସ୍ଥ ଚକ୍ରାମାଳ ଠୁ ବାବେବିରା ମୁଖ୍ୟ ରାସ୍ତାର ଚକ୍ରାମାଳର ପୋଲ ନିକଟରୁ ଅଳ୍ପ ଦୂରରେ ଆଜି ମାଓ ପୋଷ୍ଟର ଦେଖିବାକୁ ମିଳିଛି । ମାଓ ପୋଷ୍ଟର ଦେଖିଲା ପରେ ସେଠାରେ ଲୋକମାନଙ୍କ ଭିଡ ଲାଗିଥିଲା । ଲାଲ୍ ରଙ୍ଗର ଏହି ମାଓ ପୋଷ୍ଟରରେ ମାଓବାଦୀଙ୍କ ଦ୍ବାରା ହିନ୍ଦିରେ ଲେଖାଯାଇଛି ଯେ, ଚକ୍ରାମାଳ ଠୁ ବାବେବିରା ରାସ୍ତା ଭଲ ଭାବରେ ନିର୍ମାଣ କରାଯାଇନଥିବା ଓ ଠିକାଦାର ଭଲ କାମ କରିନଥିବା ବିଷୟରେ ଉଲ୍ଲେଖ ରହିଛି । ତେବେ ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ମାଓବାଦୀଙ୍କର କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା ଏବଂ ଏବେ ପୁଣି ଏପରି କାର୍ଯ୍ୟକଳାପକୁ ପୋଲିସ ଅଣଦେଖା କରିବା ଭବିଷ୍ୟତରେ ମହଙ୍ଗା ପଡିପାରେ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ