ବରଗଡ: ଜୁଆ ଖେଳ ହେଲା କାଳ । ଅକାଳରେ ଚାଲିଗଲା ଜୀବନ । ବରଗଡ଼ ଜିଲ୍ଲା ଭେଡେନ ଥାନା ଅଞ୍ଚଳରେ ବେଆଇନ ଜୁଆଖେଳ ଆଡ୍ଡା ଉପରେ ପୋଲିସର ଚଢ଼ାଉ ସମୟରେ ଭୟରେ ଦୌଡ଼ି ପଳାଉଥିବା ଜଣେ ବ୍ୟକ୍ତିଙ୍କ ତଳେ ପଡ଼ିଯାଇ ମୃତ୍ୟୁ ଘଟିଛି ।
ଭେଡେନ ଥାନା ଅଞ୍ଚଳରେ ଦୀର୍ଘ ଦିନରୁ ଘୁଡୁଘୁଡୁ ପଟ୍ଟି ଓ ଜୁଆଖେଳ ଚାଲିଆସିଥିବା ବେଳେ ପୋଲିସର ନିଷ୍କ୍ରିୟତାକୁ ନେଇ ଲୋକେ ବାରମ୍ବାର ଅଭିଯୋଗ କରିଆସୁଥିଲେ। ରବିବାର ବରଗଡ଼ରୁ ଏକ ସ୍ପେସିଆଲ ଟିମ ଭେଡେନ ଅଞ୍ଚଳକୁ ଯାଇ ଚାଲିଥିବା ଜୁଆଖେଳ ଆରଡ଼ା ଉପରେ ଚଢ଼ାଉ କରିଥିଲେ।
ଜୁଆ ଆଡ୍ଡାରେ 7 ଜଣଙ୍କୁ ପୋଲିସ କାବୁ କରି ଗିରଫ କରିଥିବା ବେଳେ ଜଣେ ବ୍ୟକ୍ତି ପୋଲିସ ଭୟରେ ଦୌଡ଼ି ପଳାଉଥିବା ସମୟରେ ତଳେ ପଡିଯାଇଥିଲେ। ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଅଣାଯାଇଥିଲା । ମାତ୍ର ଉକ୍ତ ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ମୃତ ବ୍ୟକ୍ତି ଜଣକ ଭେଡେନ ଥାନା ଅନ୍ତର୍ଗତ ସାନ ପିପିଲିପାଲି ଗ୍ରାମର ଆନନ୍ଦ ପ୍ରଧାନ ବୋଲି ଜଣାପଡିଛି।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ