ବରଗଡ: ସଙ୍କଟ ସମୟରେ କର୍ମଚାରୀଙ୍କ ହାତ ଛାଡିଲା ବରଗଡ ଏସିସି ସିମେଣ୍ଟ କାରଖାନା । କୋରୋନା ବିତ୍ପାଦରେ କଷ୍ଟ କମ ଥିଲା ଯେ, ପୁଣି କର୍ମଚାରୀଙ୍କ ମୁଣ୍ଡର ଛାତ ବି ଛଡାଇନେଲେ କାରଖାନା କର୍ତ୍ତୁପକ୍ଷ । ଏଭଳି ଅସହିଷ୍ଣୁକର କାର୍ଯ୍ୟକଳାପକୁ ଜିଲ୍ଲାବାସୀ ଭତ୍ସନା କରିଛନ୍ତି ।

ଦୁର୍ଦ୍ଦିନ ସମୟରେ ଅସହାୟଙ୍କୁ ସାହାଯ୍ୟ କରିବା ବଦଳରେ ଏସିସି କର୍ତ୍ତୃପକ୍ଷ ମଣିଷପଣିଆକୁ ଭୁଲିଗଲେ । ଏପରିକି କାରଖାନାରେ କାର୍ଯ୍ୟରତ ବେସାହାର ଡ୍ରାଇଭରଙ୍କୁ ମିଳିଥିବା ଘର ଛାଡିବାକୁ ବାଧ୍ୟ କରିଛନ୍ତି। ଶେଷରେ 6 ଜଣ ଡ୍ରାଇଭର ସାଇକେଲରେ ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଓ ବିହାର ଅଭିମୁଖେ ବାହାରିଛନ୍ତି |

ଏହି କାରଖାନାରେ ଡ୍ରାଇଭର ଭାବେ ନିଯୁକ୍ତ ବହୁ ବ୍ୟକ୍ତି ଲକଡାଉନ ଘୋଷଣା ପରେ ନିଜ ରାଜ୍ୟକୁ ଫେରି ନ ପାରି ଏଠାରେ ଫସିଯାଇଥିଲେ । ଆଉ ଏହି କାରଖାନାରେ ରହିଥିବା ଡ୍ରାଇଭରଙ୍କ ପାଇଁ ତିଆରି ଘରେ ସବୁ ମୁଣ୍ଡ ଗୁଞ୍ଜିଦେଇଥିଲେ । ହେଲେ କରଖାନା କର୍ତ୍ତୃପକ୍ଷ ଅମାନବୀୟ ଭାବେ ପାଣି ଓ ଇଲେକ୍ଟ୍ରି ଯୋଗାଣ ବନ୍ଦ କରିଦେଇଥିଲେ ଏବଂ ଶୌଚାଳୟ ଏବଂ ରୋଷେଇ ଗୃହରେ ମଧ୍ୟ ତାଲା ପକାଇ ଦେଇଥିଲେ । ଏନେଇ କମ୍ପାନୀ ଏବଂ ଜିଲ୍ଲା ପ୍ରଶାସନକୁ ଯେତେ ଗୁହାରି କଲେ ମଧ୍ୟ କେହି ଶୁଣିନଥିଲେ । ଶେଷରେ ବାଧ୍ୟ ହୋଇ ସାଇକେଲରେ ନିଜ ରାଜ୍ୟକୁ ଯିବାକୁ ବାଧ୍ୟ ହୋଇଛନ୍ତି ବିତାଡିତ ଡ୍ରାଇଭରମାନେ ।

ଏହି ଡ୍ରାଇଭର ମାନେ ବିହାର, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଓ ବିଭିନ୍ନ ରାଜ୍ୟର ହୋଇଥିବା ବେଳେ ସେମାନେ ନୂଆଁ ସାଇକେଲ କିଣି ନିଜର ଜିନିଷ ପାତ୍ର ଧରି ବାହାରିପଡିଛନ୍ତି । ତେବେ ବରଗଡ ଏସିସି କାରଖାନାର ଏପରି କଠୋରତାକୁ ଜିଲ୍ଲାରେ ତୀବ୍ର ନିନ୍ଦା କରାଯାଇଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ