ବରଗଡ: ସାହାରା ଇଣ୍ଡିଆ ଶାଖାରେ ଜମା କରିଥିବା ପଇସାର ମ୍ୟାଚୁରିଟି ସତ୍ତ୍ବେ ପଇସା ନମିଳିବାରୁ କିଡ଼ନୀ ରୋଗୀଙ୍କ ଚିକିତ୍ସା ହୋଇନପାରି ରୋଗୀଙ୍କ ଆଜି(ବୁଧବାର) ମୃତ୍ୟୁ ଘଟିଛି । ତେବେ ରୋଗୀଙ୍କ ପରିବାର ଲୋକେ ବରଗଡ ଟାଉନ ଥାନାରେ ମୃତଦେହକୁ ରଖି ନ୍ୟାୟ ପାଇଁ ଦାବି କରିଛନ୍ତି ।
ଚିକିତ୍ସା ଅଭାବରୁ ଚାଲିଗଲା କିଡ଼ନୀ ରୋଗୀଙ୍କ ଜୀବନ ସୂଚନା ଅନୁଯାୟୀ, ବରଗଡ ଟାଉନ ଥାନା ଅନ୍ତର୍ଗତ ଖଲିଆ ପାଳି କେନାଲ ପଡାର ବାସିନ୍ଦା ସୁନନ୍ଦ ବାଗ ବରଗଡ ସିମେଣ୍ଟ କାରଖାନାରେ ଶ୍ରମିକ ଭାବେ କାମ କରୁଥିଲେ ଏବଂ କଷ୍ଟ ଉପାର୍ଜିତ ପଇସାକୁ ସେ ୨୦୦୪ ମସିହାରେ ବରଗଡର ସାହାରା ବ୍ୟାଙ୍କରେ ଜମା କରିଥିଲେ, ଯାହାର ମ୍ୟାଚୁରିଟି ୨୦୨୧ରେ ଶେଷ ହୋଇ ସାରିଛି । ମାତ୍ର, ମ୍ୟାଚୁରିଟି ପରେ ମଧ୍ୟ ସୁନନ୍ଦ ବାଗଙ୍କର ଦେଢଲକ୍ଷ ଟଙ୍କା ସାହାରା ବ୍ୟାଙ୍କ ଦେଇନଥିଲା । ସୁନନ୍ଦ ବାଗ କିଡ଼ନୀ ରୋଗରେ ପୀଡିତ ହେବା ପରେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିଲେ ମଧ୍ୟ ସାହାରା ବ୍ୟାଙ୍କ କର୍ତ୍ତୃପକ୍ଷ ଆଦୌ ପଇସା ନଦେବାରୁ ଚିକିତ୍ସା କରାଇ ପାରିନଥିଲେ ସୁନନ୍ଦଙ୍କ ପରିବାର ଲୋକେ ଏବଂ ଶେଷରେ ଆଜି ଚିକିତ୍ସା ଅଭାବରେ ସୁନନ୍ଦଙ୍କ ମୃତ୍ୟୁ ହୋଇଯାଇଛି ।
ସୁନନ୍ଦଙ୍କ ଘରେ ତାଙ୍କ ସ୍ତ୍ରୀଙ୍କ ସହିତ ଦୁଇ ନାବାଳକ ଶିଶୁ ରହିଥିବା ବେଳେ ପରିବାରର ଦାୟିତ୍ଵ ବୋଝ ଏବେ ସୁନନ୍ଦଙ୍କ ସ୍ତ୍ରୀ ମମତାଙ୍କ ଉପରେ ପଡିଛି । ତେବେ ବରଗଡ ସାହାରା ବ୍ୟାଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଥାନାରେ ଲିଖିତ ଅଭିଯୋଗ ଆଣିଥିଲେ ମଧ୍ୟ ଚିକିତ୍ସା ପାଇଁ ପଇସା ନମିଳିବାରୁ ମୃତଦେହକୁ ଥାନା ସମ୍ମୁଖରେ ରଖି ପରିବାର ଲୋକେ ଓ ଗ୍ରାମବାସୀ ନ୍ୟାୟ ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି ।
ଇଟିଭି ଭାରତ, ବରଗଡ