ବରଗଡ: ଲକଡାଉନ ସମୟରେ ବରଗଡ ଜିଲ୍ଲାର 145 ଜଣ କେନ୍ଦୁପତ୍ର କର୍ମଚାରୀଙ୍କୁ ଛଟେଇ କରାଯାଇଥିବା ଘଟଣାକୁନେଇ କର୍ମଚାରୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ | ବର୍ତ୍ତମାନ ସମୟରେ ସରକାରଙ୍କ ଏପରି ପଦକ୍ଷେପ ବାସ୍ତବରେ ନିନ୍ଦନୀୟ ହୋଇଥିବାବେଳେ ଏପରି ଛଟେଇର ଅଭିଯୋଗ ନେଇ ପଦ୍ମପୁର ଡିଭିଜନ କେନ୍ଦୁପତ୍ର କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ ଠାରେ ଦାବିପତ୍ର ପ୍ରଦାନ କରିଛନ୍ତି |
କୋରୋନା ମହାମାରୀ ଯୋଗୁଁ ସାରା ରାଜ୍ୟରେ ଦୀର୍ଘ ଦିନରୁ ଲକଡାଉନ ଜାରି ରହିଛି | ଏପରି ପରିସ୍ଥିତିରେ ବହୁ ଶ୍ରମିକ ତଥା ଗରିବ ପରିବାର କାମଧନ୍ଦା ନପାଇ ତାଙ୍କର ଦୟନୀୟ ଅବସ୍ଥାକୁ ଅନୁଭବ କରି ରାଜ୍ୟ ସରକାର ସମସ୍ତ ଶ୍ରମିକଙ୍କୁ କାମ ଯୋଗେଇଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ କେନ୍ଦୁପତ୍ର କର୍ମଚାରୀମାନଙ୍କୁ ମଧ୍ୟ ଛଟେଇ କରାଯିବ ନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ |
ମାତ୍ର ବରଗଡ ଜିଲ୍ଲା ପଦ୍ମପୁର କେନ୍ଦୁପତ୍ର ଡିଭିଜନର ୧୪୫ ଜଣ ମୁନସୀ ଓ ଚପରାସୀଙ୍କୁ ଛଟେଇ କରାଯାଇଛି ଯାହାକୁନେଇ କେନ୍ଦୁପତ୍ର କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ଏହାକୁ ବିରୋଧ କରି ସୋମବାର ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ନିକଟରେ ପହଞ୍ଚିଛନ୍ତି ଏବଂ ଏହି ସମସ୍ୟାର ତୁରନ୍ତ ସମାଧାନ କରାନଗଲେ ଆଗାମୀ ଦିନରେ କର୍ମଚାରୀମାନେ ଆନ୍ଦୋଳନକୁ ଓହଲ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି |
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ