ବରଗଡ: ଉଗ୍ରରୂପ ନେଉଛି ବରଗଡରେ ଗୋଷ୍ଠୀ ସଂଘର୍ଷ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଦୁଇ ପଡ଼ାର ଯୁବକମାନଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ବୁଧବାର ବରଗଡ଼ ସହରରେ ହାଟପଦା ଓ ବିଶିପଡା ମଧ୍ୟରେ ଲାଗିରହିଥିବା ଗୋଷ୍ଠୀ ସଂଘର୍ଷ ମୁଖ୍ୟ ରାସ୍ତାକୁ ଆସିଛି । ଯାହାକୁ ନେଇ ସ୍ଥାନୀୟଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଦୁଇ ଦିନ ହେଲା ଦୁଇ ପଡ଼ା ମଧ୍ୟରେ ଲାଗିରହିଥିବା ଗୋଷ୍ଠୀ ସଂଘର୍ଷକୁ ନେଇ ଲୋକେ ଭୟଭୀତ ହୋଇପଡିଥିବାବେଳେ, ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବାରେ ଟାଉନ ପୋଲିସକୁ ନାକେଦମ ହେବାକୁ ପଡ଼ିଛି l
ଏହା ମଧ୍ୟ ପଢନ୍ତୁ: ଧାମନଗର ଲଢେଇ: ଆରମ୍ଭ ହେଲା ଭୋଟିଂ, ନେତା ବାଛୁଛନ୍ତି ଭୋଟର
ଗୋଷ୍ଠୀ ସଂଘର୍ଷ ମୁଖ୍ୟ ରାସ୍ତାକୁ ଆସିଥିବାବେଳେ ଏହାକୁ ରୋକିବାକୁ ଯାଇ ଅନେକ ପୋଲିସ ମଧ୍ୟ ଆହତ ହୋଇଛନ୍ତି l ସୂଚନା ଅନୁଯାୟୀ ବରଗଡ଼ ହାଟପଦା ଠାରେ ଅର୍କେଷ୍ଟା ଚାଲିଥିବାବେଳେ ଦୁଇ ପଡ଼ାର ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ଓ ପରେ ଏହା ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଥିଲା । ବରଗଡ଼ ସହରରେ ହାଟପଦା ଓ ବିଶିପଡା ମଧ୍ୟରେ ଲାଗିରହିଥିବା ଗୋଷ୍ଠୀ ସଂଘର୍ଷ ବୁଧବାର ମୁଖ୍ୟ ରାସ୍ତାକୁ ଆସିଛି l ମୁଖ୍ୟ ରାସ୍ତାରେ ଯୁବକଙ୍କ ହାତରେ ଲାଠି, ଭୁଜାଲି, ଖଣ୍ଡା ଓ ଅନ୍ୟ ମାରଣାସ୍ତ୍ର ଧରି ବୁଲୁଥିବା ଦେଖିବାକୁ ମିଳିଥିଲା ।
ଏହା ମଧ୍ୟ ପଢନ୍ତୁ: Bypolls: ଆଜି 6 ରାଜ୍ୟର 7 ବିଧାନସଭା ଆସନରେ ମତଦାନ
ଯାହାଫଳରେ ବରଗଡବାସୀ ଭୟଭୀତ ହୋଇପଡିଥିଲେ । ବରଗଡ଼ରେ ଦେଖାଦେଇଥିବା ଆଇନ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ବରଗଡ଼ ଟାଉନ ପୋଲିସ ପକ୍ଷରୁ ବ୍ୟାପକ ପ୍ରଚେଷ୍ଟା ଜାରି ରହିଛି l ଗୋଷ୍ଠୀ ସଂଘର୍ଷକୁ ନିୟନ୍ତ୍ରଣ ସହିତ ସହରରେ ପୁଣି ଶାନ୍ତି ଶୃଙ୍ଖଳା ଫେରାଇବା ନେଇ ବରଗଡ଼ ଏସପି ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ କରିବା ସହିତ ସନ୍ଧ୍ୟାରୁ ବରଗଡ଼ ଟାଉନରେ ସମସ୍ତ ଦୋକାନ ବଜାର ବନ୍ଦ କରିଦେଇଛନ୍ତି l ସହରରେ ଦେଖାଦେଇଥିବା ଏପରି ପରସ୍ଥିତିକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି l
ଅନ୍ୟପଟେ ବରଗଡ଼ରେ ବିଗିଡ଼ିଥିବା ଆଇନ ପରିସ୍ଥିତିକୁ ନିୟନ୍ତ୍ରଣ ସହିତ ଶାନ୍ତି ଶୃଙ୍ଖଳା ଫେରାଇ ଆଣିବା ନିମନ୍ତେ ବରଗଡ଼ ଓକିଲ ସଂଘ, ସାମ୍ବାଦିକ ସଂଘ, ବୁଦ୍ଧିଜୀବୀ, ବରଗଡ଼ ବିଧାୟକ ଓ ପୋଲିସ ପ୍ରଶାସନର ଏକ ଜରୁରୀ ବୈଠକ ହୋଇଥିଲା l ତେବେ ଆବଶ୍ୟକ ସ୍ଥଳେ ବରଗଡ଼ର ଉଭୟ ପଡ଼ାରେ ୧୪୪ ଧାରା ଲଗାଯିବା ବୋଲି ସୂଚନା ଦେଇଛନ୍ତି ବରଗଡ଼ ଏସପି ।
ଇଟିଭି ଭାରତ, ବରଗଡ