ଭୁବନେଶ୍ବର: ନର୍ସିଂ କର୍ମଚାରୀଙ୍କ ଡ୍ରେସ କୋଡକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ବଡ ନିଷ୍ପତ୍ତି । ବଦଳିଲା ନର୍ସଙ୍କ ଡ୍ରେସ କୋଡ୍ । ଏଣିକି ନୂଆ ରଙ୍ଗ ଓ ନୂଆ ଡିଜାଇନର ଡ୍ରେସ୍ ପିନ୍ଧିବେ ନର୍ସିଂ ଅଫିସର । ସମସ୍ତଙ୍କ ଡ୍ରେସ କୋର୍ଡରେ ରହିବ ଓଡ଼ିଶାର କଳା ଓ ସଂସ୍କୃତିର ସମ୍ବଲପୁରୀ ଛିଟ । ଦୀର୍ଘ ଦିନର ନର୍ସିଂ ଅଫିସରଙ୍କ ଏହା ଦାବି ରହିଥିଲା । ଏନେଇ ଆଜି ନିଷ୍ପତି ନେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।
କେଉଁମାନେ ପିନ୍ଧିବେ କେଉଁ ରଙ୍ଗର ପୋଷାକ :
ବିଶେଷ ଭାବେ ସିନିଯର ନର୍ସିଂ ଅଫିସର ମାନେ ଲାଇଟ ଲାଭେନଣ୍ଡର ବା ହାଲୁକା ଗୋଲାପୀ ରଙ୍ଗର ଡ୍ରେସ ପିନ୍ଧିବେ । ମହିଳା ନର୍ସଙ୍କ ପାଇଁ ଶାଢୀ ସାଲୁଆର ଓ କମିଜ ପିନ୍ଧିବେ । ପୁରୁଷ ନର୍ସମାନେ ଡିପ ନେଭି ବ୍ଲୁ ଫରମାଲ ଟ୍ରାଉଜର ପିନ୍ଧିବେ। ଉଭୟ ଗୋଲାପୀ ରଙ୍ଗର କିମ୍ବା ଡିପ ନାଭି ବ୍ଲୁ ପ୍ୟାଣ୍ଟ୍ ସର୍ଟ ପିନ୍ଧିବେ।
- ଆସିଷ୍ଟାଣ୍ଟ୍ ନର୍ସିଂ ସୁପରିଟେଣ୍ଡେଣ୍ଟ୍ ମାନେ ସାୟନ୍ ବ୍ଲୁ ଅର୍ଥାତ ଲାଇଟ୍ ନୀଳ ରଙ୍ଗର ଡ୍ରେସ କିମ୍ବା ଶାଢୀ ପିନ୍ଧିବେ। ଏହା ସହିତ ଆପ୍ରୋନ ମଧ୍ୟ ପିନ୍ଧିବେ । ସେହିପରି ପୁରୁଷଙ୍କ ପାଇଁ ବ୍ଲ୍ୟୁ ଶାର୍ଟ ସମେତ ବ୍ଲାକ ପ୍ୟାଣ୍ଟ ରହିଥିବା ବେଳେ ଆପ୍ରୋନ ମଧ୍ୟ ପିନ୍ଧିବେ।
- ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ ଧଳା ଶାଢ଼ୀ ଓ ଡ୍ରେସ ପିନ୍ଧିବେ । ସେଥିରେ ଥିବା ଆପ୍ରୋନ ର ରଙ୍ଗ ସମ୍ବଲପୁରୀ ଛିଟ୍ ରହିବ । ସେହିପରି ପୁରୁଷ ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟଙ୍କ ଧଳା ଜାକେଟର ରଙ୍ଗ ଉପରେ ରହିବ ସମ୍ବଲପୁରୀ ଛିଟ।
ଏହା ମଧ୍ୟ ପଢନ୍ତୁ-ମିଳିଲା ପ୍ରତିଶ୍ରୁତି, ଆନ୍ଦୋଳନରୁ ଓହରିଲେ ନର୍ସିଂ କର୍ମଚାରୀ - Nursing Staff Withdraw Strike
କିପରି ରହିବ ଡିଜାଇନ ?
ଜେନେରାଲ୍ ୱାର୍ଡରେ ଥିବା ସମସ୍ତ ନର୍ସିଂ ଅଫିସର ଏବଂ ସିନିୟର ନର୍ସିଂ ଅଫିସରଙ୍କ ପାଇଁ ଧଳା ରଙ୍ଗର ଅଧା ଆପ୍ରୋନ ରହିବ । ସମସ୍ତ ନର୍ସିଂ ଅଫିସର ନିଜ ନିଜର ପଦବୀ ଅନୁଯାୟୀ ସେମାନଙ୍କ ୟୁନିଫର୍ମରେ ନାମ ଏବଂ ପଦବୀ ଲେଖାଯିବ । ଏହା ସହିତ ହସ୍ପିଟାଲର ନାମ ଏବଂ ଡିଜାଇନେସନ୍ ମଧ୍ୟ କରାଯିବ ।
ଡ୍ରେସ କୋଡରେ ରହିବ ସମ୍ବଲପୁରୀ ଛିଟ:
ବଦଳିଛି ନର୍ସଙ୍କ ଡ୍ରେସ କୋଡ । ଏଣିକି ନୂଆ ରଙ୍ଗ ଓ ନୂଆ ଡିଜାଇନର ଡ୍ରେସ୍ ପିନ୍ଧିବେ ନର୍ସିଙ୍ଗ ଅଫିସର । ସମସ୍ତଙ୍କ ଡ୍ରେସ କୋର୍ଡରେ ରହିବ ସମ୍ବଲପୁରୀ ଛିଟ। ଅର୍ଥାତ ସମସ୍ତ ନର୍ସିଂ ଅଫିସରଙ୍କ ସାର୍ଟରେ ଥିବା କଲରରେ ରହିବ ସମ୍ବଲପୁରୀ ଛିଟ ।
ନୂଆ ବର୍ଷ ରୁ ନୂଆ ୟୁନିଫର୍ମ ପିନ୍ଧିବେ ନର୍ସିଂ ଅଧିକାରୀ:
"ନୂଆ ବର୍ଷ ଜାନୁଆରୀରୁ ନୂଆ ୟୁନିଫର୍ମ ପିନ୍ଧିବେ ନର୍ସିଙ୍ଗ ଅଧିକାରୀ। ଏନେଇ ତାରିଖ ଚୂଡାନ୍ତ ନ ହୋଇଥିଲେ ମଧ୍ୟ ଜାନୁଆରୀ ପାଇଁ ପ୍ରସ୍ତାବ ଦିଆଯାଇଛି। କାରଣ କପଡା ଆଣିବେ, ଟେଲର ଚୂଡାନ୍ତ ହେବ, ଯାହା ସମୟ ଲାଗିବ। ନର୍ସିଂ କର୍ମଚାରୀ ଆନ୍ଦୋଳନ କରି ଡ୍ରେସ ବଦଳିବା ପାଇଁ ଦାବି କରିଥିଲେ। ଏହାକୁ ବଦଳିବା ପାଇଁ ସ୍ୱାସ୍ଥ୍ୟ ସଚିବ ଗତ ନଭେମ୍ବର ୮ ରେ ଅନୁମୋଦନ ଦେଇଛନ୍ତି। ସବୁ ଜିଲ୍ଲାକୁ ଚିଠି ହୋଇଯାଇଛି" ବୋଲି କହିଛନ୍ତି ନର୍ସିଂ ନିର୍ଦ୍ଦେଶକ ଗୁନୁ ରାଣୀ ପଟ୍ଟନାୟକ।
ଖୁବଶୀଘ୍ର ଗ୍ରେଡେସନ ଲିଷ୍ଟ ବାହାରିବ:
ନର୍ସିଂ ନିର୍ଦ୍ଦେଶକ ଗୁନୁ ରାଣୀ ପଟ୍ଟନାୟକ କହିଛନ୍ତି ଯେ, "ନର୍ସିଂ କର୍ମଚାରୀଙ୍କ ଅନ୍ୟ ଦାବି ଭିତରେ ଗ୍ରେଡେସନ ଲିଷ୍ଟ ଓ ଖାଲି ପଦବୀ ପୁରଣ ଥିଲା। ଗ୍ରେଡେସନ ଲିଷ୍ଟ ପାଇଁ କାମ ଚାଲିଛି । ୮୦ ପ୍ରତିଶତ CDMO ମାନେ ଏହା ପଠାଉଛନ୍ତି । ଏଠି ଯାଞ୍ଚ ଚାଲିଛି । ଭୁଲ ବାହାରିଲେ ଫୋନ ଜରିଆରେ କହୁଛୁ ଆଉ ଥରେ ପଠାଇବାକୁ। ଯେଉଁମାନେ କେସ କରିଛନ୍ତି, ଉତ୍ତର ରଖିବାକୁ ସମ୍ପୃକ୍ତ CDMO ମାନଙ୍କୁ କୁହାଯାଇଛି । ଖୁବ ଶୀଘ୍ର ଗ୍ରେଡେସନ ଲିଷ୍ଟ ବାହାରିବ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୫ ହଜାର ୨୪୨ ନର୍ସିଙ୍ଗ କର୍ମଚାରୀ ଅଛନ୍ତି" ବୋଲି କହିଛନ୍ତି ନର୍ସିଙ୍ଗ ନିର୍ଦେଶକ ଗୁନୁ ରାଣୀ ପଟ୍ଟନାୟକ ।
ଡ୍ରେସ କୋଡ ପରିବର୍ତ୍ତନକୁ ସ୍ଵାଗତ ବାକି ଦାବିକୁ ପୂରଣ କରିବା ପାଇଁ ଦାବି :
ଏପଟେ ରାଜ୍ୟ ନର୍ସିଂ କର୍ମଚାରୀ ସଙ୍ଘ ରାଜ୍ୟ ସାଧାରଣ ସମ୍ପାଦକ ଅଶ୍ୱିନୀ କୁମାର ଦାସ କହିଛନ୍ତି ଯେ, "ଡ୍ରେସ କୋଡ଼ ପରିବର୍ତନ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ହେଲେ ୨୪ ଘଣ୍ଟିଆ ଜରୁରୀକାଳୀନ ସେବା କରୁଥିବା ନର୍ସିଙ୍ଗ କର୍ମଚାରୀଙ୍କ ଅନ୍ୟ ଦାବି ଗୁଡିକୁ ବି ସ୍ୱତନ୍ତ୍ର ଦୃଷ୍ଟି ଦେଇ ପୂରଣ କରନ୍ତୁ । ୨୦୧୩ ମସିହା ନଭେମ୍ବର ୧୨ ତାରିଖ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସର ମାନଙ୍କର ଛଅ ବର୍ଷ ଚୁକ୍ତି ଭିଭିକ ଅବାଧିକୁ ମୂଳ ଚାକିରୀ ସୀମାରେ ମିଶାଇ ପଦୋନ୍ନତି ଏବଂ ସମସ୍ତ ଆର୍ଥିକ ସୁବିଧା ଦିଆଯାଉ । ଯୋଗ୍ୟ ନସିଂ ଅଫିସର ମାନଙ୍କୁ ବରିଷ୍ଠତା ଭିତିରେ ସିନିୟର ନସିଂ ଅଫିସର ପଦବୀରେ ତୁରନ୍ତ ପଦୋନ୍ନତି ଦିଆଯାଉ । ସହକାରୀ ନର୍ସିଂ ଅଧୀକ୍ଷକ ପଦବୀରେ ପଦୋନ୍ନତି ପାଇଁ ଆବଶ୍ୟକ ଥିବା ସ୍ଥିରୀକୃତ ଅବଧିକୁ କମ କରି ୧୬ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସେବା ଯୋଗାଇ ଆସୁଥିବା ବରିଷ୍ଠ ନସିଂ ଅଫିସର ମାନଙ୍କର ଏକ ସମୟରେ ଦୁଇଟା ପଦୋନ୍ନତି କରାଯାଉ। ନିୟମିତ ହୋଇନଥୁବା ଅବଶିଷ୍ଟ ନର୍ସିଂ ଅଫିସର ମାନଙ୍କୁ ତୁରନ୍ତ ନିୟମିତ କରାଯାଉ । KBK ଭତ୍ତା ମିଳିବା ସହ ଛୁଟି ସମ୍ପର୍କିତ ଦାବି ପୂରଣ ହେଉ। ନର୍ସିଂ କର୍ମଚାରୀଙ୍କୁ ଏକ ଶାନ୍ତିପୂର୍ଣ୍ଣ ବାତାବରଣରେ କାମ କରିବାକୁ ଦିଅନ୍ତୁ ରାଜ୍ୟ ସରକାର। ସରକାର କହିଥିଲେ ଦାବି ଗୁଡିକ ପାଇଁ ଏକ ଆନ୍ତ ବିଭାଗୀୟ କମିଟି ଗଠନ କରିବେ। ଏହି କମିଟି ତୁରନ୍ତ ଗଠନ କରାଯାଉ" ବୋଲି କହିଛନ୍ତି ସଂଘର ସାଧାରଣ ସମ୍ପାଦକ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, " ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ହୋଇଥିବା ସରକାରୀ ନସିଂ ଅଫିସର ମାନଙ୍କୁ CHO ପଦବୀରୁ ଫେରାଇ ଆଣି କ୍ୟାଡର ପୋଷ୍ଟରେ ବିଭିନ୍ନ ସରକାରୀ ହସ୍ପିଟାଲ ଗୁଡିକରେ ନର୍ସି ସେବା ଯୋଗାଇ ଦେବା ନିମନ୍ତେ ଠୋସ ପଦକ୍ଷେପ ନିଆଯାଉ । ଏହା ସହିତ ଅନ୍ୟ ରାଜ୍ୟ ଗୁଡିକରେ ଥିବା ବ୍ୟବସ୍ଥାକୁ ଦୃଷ୍ଟିରେ ରଖ୍ NHM ଅଧୀନରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନୂତନ CHO ମାନଙ୍କୁ ନିଯୁକ୍ତି ଦିଆଯାଉ" ବୋଲି କହିଛନ୍ତି ରାଜ୍ୟ ନର୍ସିଙ୍ଗ କର୍ମଚାରୀ ସଙ୍ଘର ସାଧାରଣ ସମ୍ପାଦକ ଅଶ୍ଵିନୀ କୁମାର ଦାସ ।
ଇଟିଭି ଭାରତ, ଭୁବନେଶ୍ବର