ବରଗଡ଼: ବର୍ତ୍ତମାନ ସମୟରେ ଭୂତଳ ଜଳସ୍ତର ନିମ୍ନଗାମୀ ହେବାରେ ଲାଗିଥିବା ବେଳେ ଆଗାମୀ ଭବିଷ୍ୟତ ପିଢୀ ପାଇଁ ଏହା ସୃଷ୍ଟି କରିବାକୁ ଯାଉଛି ସମସ୍ୟା । ତେଣୁ ଏହି ନିମ୍ନଗାମୀ ଜଳକୁ କିପରି ଠିକ ଭାବରେ ଗଚ୍ଛିତ କରି ରଖାଯାଇ ପାରିବ ସେନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ଆଣିବା ଉଦ୍ଦେଶ୍ୟ ନେଇ ବରଗଡ ମହିଳା ମହାବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।
ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ ସମସ୍ତ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି | ଭୁବନେଶ୍ବର ଠାରୁ ଆସିଥିବା କେନ୍ଦ୍ରୀୟ ଜଳ ବୋର୍ଡ଼ର ଏକ ବୈଜ୍ଞାନିକ ଟିମ୍ ବିଭୂତି ଭୂଷଣ ସାହୁ , ସୁଧାଂଶୁ କୁମାର ମହାନ୍ତି, ବୈଜ୍ଞାନିକ ରାଜୀବ ତ୍ରିପାଠୀ, ବରଗଡ ମହିଳା ମହା ବିଦ୍ୟାଳୟର ଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକାଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ।
ଭୂଜଳର ସ୍ଥିତି, ଏହାର ଗୁଣବତ୍ତା, ଜଳସଂରକ୍ଷଣ ଏବଂ ଜଳର କୃତ୍ରିମ ପୁନର୍ଭରଣ ଉପରେ ସଚେତନ କରାଇଥିଲେ । ବର୍ଷା ଜଳକୁ ସଞ୍ଚୟ କରି ରଖିବା ସହିତ ସିଧାସଳଖ ସମୁଦ୍ରରେ ନଛାଡି ତାର ଗତିପଥକୁ ଅଟକାଇଲେ ଉକ୍ତ ଜଳ ଭୂତଳକୁ କିପରି ଯାଇପାରିବ । ତେଣୁ ଏପରି ପନ୍ଥା ଆପଣାଇବା ଦ୍ଵାରା ଆଗାମୀ ପୀଢି ପାଇଁ ସମସ୍ୟା ରହିବ ନାହିଁ ବୋଲି ବୈଠକରେ କୁହାଯାଇଛି ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ