ବରଗଡ଼: ଦୁଇ ଦିନିଆ ବରଗଡ଼ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ଆସନ୍ତା 26 ଓ 27 ତାରିଖ ଏହି ଦୁଇ ଦିନ ଅତାବିରା ନିର୍ବାଚନ ମଣ୍ଡଳୀ, ଭଟଲି ନିର୍ବାଚନ ମଣ୍ଡଳୀ, ବିଜେପୁର ନିର୍ବାଚନ ମଣ୍ଡଳୀ, ପଦ୍ମପୁର ନିର୍ବାଚନ ମଣ୍ଡଳୀ ଓ ବରଗଡ ଟାଉନର ବିଭିନ୍ନ ସ୍ଥାନକୁ 5T ସଚିବଙ୍କ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ଆଜି ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଅତାବିରା ନିର୍ବାଚନ ମଣ୍ଡଳୀର ସଚିବଙ୍କ ହେଲିକ୍ୟାପ୍ଟର ଓହ୍ଲାଇବା ସ୍ଥାନ ସାଙ୍ଗକୁ ରାମଚଣ୍ଡୀ ମନ୍ଦିର, ସରଣ୍ଡା ଶିବ ମନ୍ଦିର ଓ ଅତାବିରା ଦୁର୍ଗା ମନ୍ଦିର ଇତ୍ୟାଦି ସ୍ଥାନକୁ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ସହ ପରିଦର୍ଶନରେ ଯାଇ ଯାଞ୍ଚ କରିଛନ୍ତି ।
ସେହିପରି ବିଜେପୁର ନିର୍ବାଚନ ମଣ୍ଡଳୀର ବରପାଲି ହାଇସ୍କୁଲକୁ ମନ୍ତ୍ରୀ ରିତା ସାହୁଙ୍କ ସହ ପରିଦର୍ଶନରେ ଯାଇ ଯାଞ୍ଚ କରିଥିବା ଜଣାପଡିଛି । ପଦ୍ମପୁର ନିର୍ବାଚନ ମଣ୍ଡଳୀର ଆର. ବି ହାଇସ୍କୁଲ ପଡିଆ ଓ ନୃସିଂହନାଥ ମନ୍ଦିର ଆଦି ସ୍ଥାନକୁ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଓ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ସହ ପରିଦର୍ଶନରେ ଯାଇ ଯାଞ୍ଚ କରିଛନ୍ତି ପ୍ରଣବ । ଆସନ୍ତାକାଲି 5T ସଚିବ ବରଗଡ଼ ମହିଳା ମହାବିଦ୍ୟାଳୟକୁ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଥିବାବେଳେ ଆଜି ଏହି ପରିପ୍ରେକ୍ଷୀରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସହ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ପରିଦର୍ଶନ କରିବା ସହ ଯାଞ୍ଚ କରିଛନ୍ତି ।
ଆସନ୍ତାକାଲି ବରଗଡ଼ ଜିଲ୍ଲାର ଅତାବିରା ବ୍ଲକ ସରଣ୍ଡାପାଳିକୁ ସକାଳ 9ଟା ସମୟ ରେ 5T ସଚିବ ପହଞ୍ଚି ପ୍ରଥମେ ସରଣ୍ଡାପାଳି 5T ସ୍କୁଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ତାପରେ ଅତାବିରାର ବିଶ୍ୱେଶ୍ୱର ମନ୍ଦିର, ଆନନ୍ଦ କଲ୍ୟାଣ ମଣ୍ଡପ, ମା ଦୁର୍ଗା ମନ୍ଦିର, ରାମଚଣ୍ଡୀ କଲ୍ୟାଣ ମଣ୍ଡପରେ କାର୍ଯ୍ୟକ୍ରମ ରହିଛି । ସେହିପରି ସକାଳ 11ଟା 35ରେ ବରଗଡ଼ର ନିଶାମଣି ହାଇସ୍କୁଲ ପଡିଆଠାରେ ସମ୍ବଲପୁରୀ ବସ୍ତ୍ରାଳୟ, ଟୁକୁଲ୍ଲା ସ୍ଥିତ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କ୍ୟାନ୍ସର ହସ୍ପିଟାଲ ପରିଦର୍ଶନ ପରେ ବରଗଡ ବ୍ଲକ ଅଫିସ ଠାରେ ନିର୍ମିତ ମିଶନ ଶକ୍ତି କାଫେ ସେଣ୍ଟରକୁ ଗସ୍ତ କରିବେ 5T ସଚିବ । ଏନେଇ ସୂଚନା ଦେଇଛନ୍ତି ବରଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ କଲ୍ୟାଣୀ ଦାସ ।
ପରେ ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରପାଲି NACରେ ଗଙ୍ଗାଧର ମେହେରଙ୍କ ଜନ୍ମ ସ୍ଥାନକୁ ଗସ୍ତ କରିବା ସହିତ 2ଟି ଷ୍ଟାଡିୟମକୁ ପରିଦର୍ଶନ କରି ପୁଣି ବରଗଡ ସହରକୁ ଫେରି ହଳଦୀପାଳି ସ୍ଥିତ ନିର୍ମିତ ରାମଚଣ୍ଡୀ ମନ୍ଦିର ପରିଦର୍ଶନ କରିବେ। ଏହାପରେ ବରଗଡ ମହିଳା ମହାବିଦ୍ୟାଳୟ ପହଞ୍ଚିବେ 5T ସଚିବ ଶ୍ରୀ ଭିକେ ପାଣ୍ଡିଆନ। ଶେଷରେ ପୁଣି ନିଶାମଣି ସ୍କୁଲ ପଡିଆ ଠାରେ କାର୍ଯ୍ୟକ୍ରମ ରହିଛି । ବରଗଡ ସର୍କିଟ ହାଉସରେ ରାତ୍ରି ଯାପନ ପରେ 27 ତାରିଖରେ ପୁଣି ବରଗଡ ଜିଲ୍ଲାର ସୋହେଲା, ଅମ୍ବାଭାନା, ପାଇକମାଳ ଓ ପଦ୍ମପୁରର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ କଲ୍ୟାଣୀ ଦାସ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ବରଗଡ଼