ବରଗଡ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଉଭୟ ମା’ ଓ 8 ମାସ ପୁଅର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବରକେଲ ଗାଁରେ । ନିଜ ଘରେ ଲୁହାର ଆଲମିରା ଖୋଲୁଥିବା ସମୟରେ ଆଲମିରାଟି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଉଭୟ ମାଆ ଓ 8 ମାସର ପୁଅର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ମଙ୍ଗଳବାର ସକାଳେ ପଦ୍ମପୁର ଉପଖଣ୍ଡ ବରିକେଲ ଗ୍ରାମର 32 ବର୍ଷୀୟ ମହିଳା ଅଞ୍ଜଳି ବାଗ ତାଙ୍କର 8 ମାସର ଶିଶୁ ପୁତ୍ରକୁ କାଖରେ ଧରି ଘରର ଆଲମିରା ଖୋଲୁଥିଲେ । ହେଲେ ଅସାବଧାନତା ବଶତଃ ଆଲମିରା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା । ଯାହା ଫଳରେ ଉଭୟ ଅଞ୍ଜଳି ବାଗ ଓ 8 ମାସର ଶିଶୁ ଗୌରଭ ବାଗ ଚେତା ଶୂନ୍ୟ ହୋଇପଡିଥିଲେ ।
ସେହି ସମୟରେ ଘରେ କେବଳ ମହିଳାଙ୍କ ଶାଶୁ ଥିଲେ । ହେଲେ ସେ ଘର ବାରିପଟେ ଗୋବର ସଫା କରୁଥିଲେ । ସେ ଗୋବର ସଫାକରି ଫେରିଲା ପରେ ଉଭୟ ମାଆ ଓ ପୁଅଙ୍କୁ ଆଲମିରା ପାଖରେ ପଡିଥିବାର ଦେଖିଥିଲେ । ଏହାପରେ ସେ ସଙ୍ଗେ ସଙ୍ଗେ ତାଙ୍କ ପୁଅକୁ ଜଣାଇଥିଲେ । ତେବେ ପାଖ ପଡୋଶୀ ଉଭୟ ମାଆ ଓ ପୁଅଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୋଟେ ପରିବାରର ଉଭୟ ମାଆ ଓ କୁନି ଶିଶୁଟିର ମୃତ୍ୟୁ ଖବର ପ୍ରଚାରିତ ହେବାପରେ ବାରିକେଲ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା । ତେବେ ଘର ଲୋକଙ୍କ କହିବା ମୁତାବକ ବିଦ୍ୟୁତ୍ ତାରକୁ ମୂଷା କାଟି ଦେଇଥିବାରୁ ବିଦ୍ୟୁତ୍ ତାର ଆଲମୀରା ଉପରେ ପଡି ଯାଇଥିଲା । ଯାହା ମହିଳା ଜଣକ ଜାଣି ପାରିନଥିଲେ । ଆଲମୀରା ଖୋଲିବା ସମୟରେ ସେ କାଖରେ 8 ମାସର ଛୁଆକୁ ଧରିଥିଲେ । ତେଣୁ ଶିଶୁ ମଧ୍ୟ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା । ଏହା ପରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା ।
ଇଟିଭି ଭାରତ, ବରଗଡ