ହାଇଦ୍ରାବାଦ: ପ୍ରାୟ 20 ମାସ ମଧ୍ୟରେ ତିନି ତିନି ଥର ବିଧାୟକ ବାଛିବେ ବିଜେପୁର ଭୋଟର । ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ସହ ଦେଶର ଅନ୍ୟ ରାଜ୍ୟରେ ଖାଲି ପଡିଥିବା 64 ବିଧାନସଭା ଆସନରେ ଉପନିର୍ବାଚନ ଏକା ସାଙ୍ଗରେ ହେବ । ଆସନ୍ତା ଅକ୍ଟୋବର 21ରେ ମତଦାନ ନେଇ ଆଜି ଘୋଷଣା କରିଛନ୍ତି ଦେଶର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା । ଆଉ ଏହା ପରେ ଆରମ୍ଭ ହୋଇଯାଇଛି ବିଜେପୁରକୁ ନେଇ ରାଜନୈତିକ ଅଙ୍କକଷା।
ବିଗତ 2 ବର୍ଷ ଧରି ରାଜ୍ୟ ରାଜନୀତିରେ ଫୋକସରେ ରହିଆସିଛି ବିଜେପୁର ନିର୍ବାଚନମଣ୍ଡଳୀ । ଦିବଙ୍ଗତ ନେତା ସୁବଳ ସାହୁଙ୍କ ମୃତ୍ୟୁ ପରେ ସତେ ଯେମିତି ଏ ଆସନ ଓଡିଶା ରାଜନୀତିକୁ ନିଜ ଆଡକୁ ଟାଣି ନେଇଛି । ଏହାରି ମଧ୍ୟରେ ଥରେ ଉପନିର୍ବାଚନ 24 ଫେବୃଆରୀ 2018 ଏବଂ ଥରେ ସାଧାରଣ ନିର୍ବାଚନ 18 ଏପ୍ରିଲ 2019ରେ ସରିଛି। ହେଲେ ସାଧାରଣ ନିର୍ବାଚନରେ ଉଭୟ ହିଞ୍ଜିଳି ଓ ବିଜେପୁର ଆସନରୁ ପ୍ରତିଦ୍ବନ୍ଦିତା କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରବର୍ତ୍ତୀ ସମୟରେ ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ । ଯେଉଁଥିପାଇଁ ଏବେ ଆଉ ଏକ ଉପ ନିର୍ବାଚନର ସାମ୍ନା କରିବେ ବିଜେପୁର ଭୋଟର।
ଥରେ ନିଜ ପରାଜୟକୁ ସ୍ବୀକାର କରି ପାରିନପାରି ତତକାଳୀନ ବିଧାୟକ ସ୍ବର୍ଗତ ସୁବୋଳ ସାହୁଙ୍କ ବିପକ୍ଷରେ ମୋକଦ୍ଦମା ଲଢିଥିଲେ ପରାଜିତ ବିଜେଡି ପ୍ରାର୍ଥୀ ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ହୁଏତ ସେହି ସମୟରେ 117 ଆସନରେ ବିଜୟୀ ହୋଇଥିବା ବିଜେଡି ଏହି ଘଟଣାକୁ ଏତେ ଗୁରୁତ୍ବ ଦେଇନଥିଲା । ବୋଧେ ପ୍ରସନ୍ନ ବି କେବେ ଭାବିନଥିବେ ଯେ ଏହି ଆସନ ଦିନେ ରାଜ୍ୟ ରାଜନୀତିରେ ସବୁଠୁ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ହୋଇ ରହିବ( ଯଦିଓ ହେଭିୱେଟ୍ ପ୍ରସନ୍ନ ଆଚାର୍ଯ୍ୟ ଜଣେ ଚର୍ଚ୍ଚିତ ଚେହେରା ଥିଲେ)।
କଂଗ୍ରେସର ଗଡ କୁହାଯାଉଥିବା ଏହି ଆସନକୁ 2018 ଉପ ନିର୍ବାଚନରେ କବଜା କରିଥିଲା ବିଜେଡି । ଆଉ ଏଥିପାଇଁ ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ଧର୍ମପତ୍ନୀଙ୍କୁ ପ୍ରାର୍ଥୀ କରି ଦଳ ରଚିଥିଲା ମାଷ୍ଟରପ୍ଲାନ । ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଏବଂ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ଚକମା ଖାଇଯାଇଥିଲେ । 2019 ସାଧାରଣ ନିର୍ବାଚନ ବେଳେ ଖୋଦ ମୁଖ୍ୟମନ୍ତ୍ରୀ ଓହ୍ଲାଇଥିଲେ ବିଜେପୁର ମଇଦାନରେ। ପଶ୍ଚିମ ଓଡିଶାରେ ମୋଦି ହାୱାକୁ ରୋକିବା ପାଇଁ ଏହାଥିଲା ନବୀନଙ୍କ ରଣନୀତି । ବିଧାନସଭା ଆସନରେ ଏହି ରଣନୀତି ଭଲ କାମ ମଧ୍ୟ କରିଥିଲା ।
ଆଉ ଆଜି ପୁଣି ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ଫୋକସରେ ରହିଛି ବିଜେପୁର । ବିଜେଡିର ରେକର୍ଡ ନିଶା, ବିରୋଧୀଙ୍କୁ କାଳ ସାଜିଛି । ରୀତା ସାହୁ ଏହି ଉପ ନିର୍ବାଚନରେ ମଧ୍ୟ ବିଜେଡିରୁ ପ୍ରାର୍ଥୀ ହେବା ଏକ ପ୍ରକାର ସ୍ପଷ୍ଟ ହେଉଛି । ଅନ୍ୟପଟେ ବିଜେପି ଓ କଂଗ୍ରେସର ରଣନୀତି ଏବଂ ଆଭିମୁଖ୍ୟ ବର୍ତ୍ତମାନ ରାଜନୈତିକ ଦୃଶ୍ୟପଟରୁ କହିବା ମୁସ୍କିଲ ମନେହେଉଛି।