ବରଗଡ଼: ମୌସୁମୀ ବର୍ଷା ଆସି ପୁଣି ଖରିଫ ଫସଲ ପାଇଁ ସଜବାଜ ହେଲେଣି ଚାଷୀ ହେଲେ ରବି ଫସଲର ଅମଳ ଧାନ ଏଯାବତ ବିକ୍ରି କରିପାରି ନାହାନ୍ତି ବହୁ ଚାଷୀ । ପପଙ୍ଗା ମାର୍କେଟରେ ପଡ଼ିରହିଛି ହଜାର ହଜାର ବସ୍ତା ଧାନ ଅନ୍ୟପଟେ ଚାଷୀଙ୍କ ଟୋକନ ଫେରି ଯାଇଛି ଏବଂ ବିକ୍ରି କରିପାରୁ ନାହାନ୍ତି ଧାନ । ତେବେ ଏହି ସମସ୍ୟା ନେଇ ଚାଷୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ପପଙ୍ଗା ଅଞ୍ଚଳର ବହୁ ଚାଷୀ ।
କୋରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଚାଷୀକୁ ମିଳିଲା ନାହିଁ ଶ୍ରମିକ । ଫଳରେ ବହୁ ବିଳମ୍ବରେ ବିଲରୁ ଧାନ ସଂଗ୍ରହ କରିପାରିଛି ଚାଷୀ । ହେଲେ ଏହି ସମୟରେ ଚାଷୀର ଟୋକନ ଆସି ଫେରି ମଧ୍ୟ ଯାଇଛି । କିନ୍ତୁ ସଠିକ ସମୟରେ ଚାଷୀ ତାର ଧାନ ମଣ୍ଡିରେ ପହଞ୍ଚାଇ ପାରିଲା ନାହିଁ । ଯାହାଫଳରେ ଆଜି ଆଉ ଚାଷୀ ତାର ଧାନ ବିକ୍ରି କରିବାରେ ଅସମର୍ଥ ହେଉଥିବା ପ୍ରକାଶ କରିଛି ।
ବରଗଡ ଜିଲ୍ଲା ଭେଡେନ ବ୍ଲକ ପପଙ୍ଗା ମାର୍କେଟରେ ବହୁ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ପଡିରହିଥିବା ବେଳେ ତାଙ୍କର ଟୋକନ ଅସୁବିଧା କାରଣରୁ ସେମିତି ଖୋଲା ଆକାଶ ତଳେ ପଡ଼ିରହିଛି ଧାନ । ତେବେ ଜିଲ୍ଲାପାଳଙ୍କ ନିକଟକୁ ଚାଷୀ ତାର ସମସ୍ୟା ଜଣାଇଛି ଏବଂ ଏହାର ଶୀଘ୍ର ସମାଧାନ କରାନଗଲେ ଚାଷୀ ଆନ୍ଦୋଳନକୁ ଓହଲ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ବରଗଡ଼ରୁ ରାଜେଶ ସରାଫ, ଇଟିଭି ଭାରତ