ବରଗଡ: ଲକଡାଉନରେ ଅନ୍ୟ ରାଜ୍ୟରେ ଫସି ରହିଥିବା ଓଡିଶାର ହଜାର ହଜାର ଶ୍ରମିକ ନିଜ ଅଞ୍ଚଳକୁ ଫେରିବା ପରେ ବେକାର ହୋଇ ରହିଥିବା ସମସ୍ତ ଶ୍ରମିକଙ୍କୁ କାମ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ଜାରି ରହିଛି । ତେବେ ବରଗଡ଼ ଜିଲ୍ଲାରୁ ମଧ୍ୟ ଅନ୍ୟତ୍ର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ହଜାର ହଜାର ଶ୍ରମିକ ବରଗଡ଼କୁ ଫେରିବା ପରେ ଜିଲ୍ଲା ପ୍ରଶାସନ ଶ୍ରମିକମାନଙ୍କୁ କାମ ଧନ୍ଦା ଯୋଗାଇ ଦେବା ପାଇଁ ଚିନ୍ତା କରିଛି । ଏଥିପାଇଁ ମନରେଗା ଯୋଜନା ସହିତ ରହିଥିବା ଅନ୍ୟାନ୍ୟ ସମସ୍ତ ଯୋଜନାର କାମ ଗୁଡିକୁ ଆରମ୍ଭ କରି ଦିଆଯାଇଛି ।
ମନରେଗା ଯୋଜନାରେ ଯେମିତି ମେସିନ ସାହାଯ୍ୟରେ କାମ କରାନଯିବା ସେ ନେଇ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରମିକମାନେ କାମ ଧନ୍ଦା କରି ଯେପରି ନିଜ ପରିବାର ପ୍ରତିପୋଷଣ କରିପାରିବେ ସେ ନେଇ ଯୁଦ୍ଧକାଳୀନ ଭିତ୍ତିରେ ଜବ କାର୍ଡ ଯୋଗାଇ ଦେବା ସହିତ କାମ ଦିଆଯାଉଛି । ତେବେ ମନରେଗା ଯୋଜନାରେ କାମ ଚାଲିଥିବା ଅଞ୍ଚଳ ଗୁଡିକୁ ଖୋଦ ଜିଲ୍ଲାପାଳ ନିଜେ ଯାଇ ତଦାରଖ କରୁଛନ୍ତି । ଶୁକ୍ରବାର ଜିଲ୍ଲାପାଳ ବିଜେପୁର ବ୍ଲକ ଅଞ୍ଚଳ ଗସ୍ତ କରି ସେଠାରେ ମନରେଗା ଯୋଜନାରେ ଚାଲିଥିବା କାମର ସମୀକ୍ଷା କରିଥିଲେ । ଏପରି ଆଗକୁ ବହୁ ଅଞ୍ଚଳ ଗସ୍ତ କରି କାମର ସମୀକ୍ଷା କରିବାର ଯୋଜନା ରହିଛି ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ