ବରଗଡ: ଜିଲ୍ଲାରେ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ନିର୍ମାଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ । ଆଜି(ବୁଧବାର) ସ୍ଥାନୀୟ ଗାନ୍ଧୀ ଛକ ଠାରେ ଜିଲ୍ଲା ବିଜେପି ପକ୍ଷରୁ ଧାରଣା ଦିଆଯାଇଛି । ବରଗଡ ସାଂସଦ ସୁରେଶ ପୁଝାରିଙ୍କ ସହିତ ବିଜେପି ଦଳର ଜିଲ୍ଲା ସଭାପତି ଅଶ୍ଵିନୀ ଷଡଙ୍ଗୀ ଏବଂ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଏହି ଧାରଣାରେ ଯୋଗଦାନ ଦେଇଛନ୍ତି ।
ଜିଲ୍ଲାରେ ବ୍ୟାପକ ମାତ୍ରାରେ କ୍ୟାନ୍ସର ରୋଗୀ ଚିହ୍ନଟ ହେବା ସଙ୍ଗେ ଅନେକ ରୋଗୀ ଚିକିତ୍ସା ଅଭାବ କାରଣରୁ ପ୍ରାଣ ହରାଉଛନ୍ତି । ତେବେ ଦୀର୍ଘ ବର୍ଷରୁ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଦାବିକରି ଆସୁଥିଲେ ସୁଦ୍ଧା ଏଠାରେ ହସ୍ପିଟାଲ ନିର୍ମାଣ କରାନଯାଇ ଅନ୍ୟତ୍ର ହସ୍ପିଟାଲ ନିର୍ମାଣ କରାଯାଉଛି । ହସ୍ପିଟାଲ ନିହାତି ଆବଶ୍ୟକ ଥିବାବେଳେ ରାଜ୍ୟ ସରକାର ଏଠାକାର ଦାବିକୁ ଆଦୌ ଗୁରୁତ୍ଵ ଦେଉନଥିବା କାରଣରୁ ଆଜି ବରଗଡ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ