ବରଗଡ: ରବିବାର ଜିଲ୍ଲାରେ 16 ନୂତନ କୋରୋନା ସଙ୍କ୍ରମିତଙ୍କ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ସମୁଦାୟ ସଙ୍କ୍ରମିତଙ୍କ ସଂଖ୍ୟା 34 କୁ ପହଞ୍ଚିଛି । ଜିଲ୍ଲାରେ ଦିନକୁ ଦିନ ଯେତେ କୋରୋନା ସଂକ୍ରମିତ ବଢିବାକୁ ଲାଗୁଛି ଲୋକଙ୍କ ଭିଡ ମଧ୍ୟ ରାସ୍ତା ଘାଟରେ ଅଧିକ ଦେଖିବାକୁ ମିଳୁଛି । ଠିକ ସଂକ୍ରମଣ ବଢିବାକୁ ବସିଲାବେଳକୁ ରାଜ୍ୟ ସରକାର ମଧ୍ୟ ସମସ୍ତ କ୍ଷେତ୍ରରେ ଢିଲାପଣ ଦେଖାଇଥିବା ଅଭିଯୋଗ କରି ସଚେତନ ଲୋକେ ରାଜ୍ୟ ସରକାରଙ୍କ ଓଲଟା ସିଷ୍ଟମକୁ ଦାୟୀ କରୁଛନ୍ତି ।
ରବିବାର ଝାରବନ୍ଦ ବ୍ଲକରେ ଚିହ୍ନଟ ହୋଇଥିବା କୋରୋନା ସଂକ୍ରମିତ ବ୍ୟକ୍ତି ଜଣକ ଏକ ବାହାଘର ଭୋଜିରେ ସାମିଲ ହୋଇଥିଲେ । ଏହାସହ ଭୋଜିରେ ଅନ୍ୟମାନଙ୍କୁ ଖାଦ୍ୟ ପରଷୁଥିବା ଖବର ପ୍ରଚାରିତ ହେବା ପରେ ଆଖପାଖ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି । ବାହାଘର ଭୋଜିରେ ଶତାଧିକ ଲୋକେ ସାମିଲ ହୋଇଥିବାରୁ ଆଖପାଖ ଅଞ୍ଚଳର ବହୁ ଲୋକ ସଂକ୍ରମିତ ହୋଇଥିବା ଭୟ ଗ୍ରାମବାସୀଙ୍କ ଭିତରେ ବଢିଯାଇଛି ।
ସଂକ୍ରମିତ ଜଣକ ସାତ ଦିନପରେ କ୍ବାରାଣ୍ଟାଇନ ସେଣ୍ଟରରୁ ଫେରି ଘରେ ହୋମ କ୍ବାରେଣ୍ଟାଇନରେ ନରହି ବାହାରେ ବୁଲିଥିଲେ । ବାହାଘର ଭୋଜିରେ ସାମିଲ ହୋଇଥିବାରୁ ସେ କେତେ ଲୋକଙ୍କ ସମ୍ପର୍କରେ ଆସିଛନ୍ତି ଏବଂ କାହା ସହିତ ଅଧିକ ମିଳାମିଶା କରିଛନ୍ତି ତାହାର କଣ୍ଟାକ୍ଟ ଟ୍ରେସିଙ୍ଗ କରିବା ପ୍ରଶାସନ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି ।
ବରଗଡରୁ ରାଜେଶ ସରାପ,ଇଟିଭି ଭାରତ