ଭୁବନେଶ୍ବର: ଧାମନଗର ପରେ ଏବେ ପଦ୍ମପୁର ବିଜୟ ଲକ୍ଷ୍ୟ । ପଦ୍ମପୁର ଦଖଲ ବିଜେଡି ଓ ବିଜେପି ପାଇଁ ଏସିଡ୍ ଟେଷ୍ଟ । ସାଧାରଣ ନିର୍ବାଚନ ପୂର୍ବରୁ ବିଜୟ ଧାରା ଜାରି ରଖିବାକୁ ଚେଷ୍ଟା କରିବ ବିଜେପି । ସେପଟେ ଉପନିର୍ବାଚନ ବିଜୟ ବ୍ରେକ ଧାମନଗରରେ ଲାଗିବା ପରେ ବିଜେଡି ଲାଗି ଚ୍ୟାଲେଞ୍ଜ ହୋଇଛି ପଦ୍ମପୁର । ଉଭୟ ଦଳ ଗଡ଼ ଦଖଲ ଲାଗି ଆରମ୍ଭ କରିଦେଇଛନ୍ତି ରଣନୀତି ।
ବିଜେପିର ବରିଷ୍ଠ ବିଧାୟକ ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି ଯେ, ପଦ୍ମପୁର ବିଜୟ ଲାଗି ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯିବ । ଓଡ଼ିଶା ବିଧାନସଭାରେ ଆଉ ଏକ ସିଟ ବଢ଼େଇବା ଲାଗି ଚେଷ୍ଟା କରିବ ଦଳ । 2024ରେ ବିଜେପି ସଂଖ୍ୟା ଗରିଷ୍ଠ ଦଳ ହେବ । ଦୁଇ ତୃତୀୟାଂଶ ସିଟ ହାସଲ କରି ବିଜେପି କ୍ଷମତାକୁ ଫେରିବ । ପଦ୍ମପୁର ନିର୍ବାଚନ ନେଇ ପ୍ରଚାର ଆରମ୍ଭ ହୋଇସାରିଛି । ଧାମନଗରରେ ଯେମିତି ପ୍ରତ୍ୟେକ ଭୋଟରଙ୍କ ନିକଟରେ ଦଳ ପହଞ୍ଚିଥିଲା, ପଦ୍ମପୁରରେ ବି ସେମିତି କରିବୁ । 22 ବର୍ଷର ଅରାଜକତା ବାବଦରେ ଲୋକଙ୍କୁ କହିବୁ । ପଶ୍ଚିମ ଓଡ଼ିଶାରେ ଚାଷୀ ସମସ୍ୟା ଏକ ବଡ଼ ସମସ୍ୟା । ଇନସୁରାନସରେ ଓଡ଼ିଶା ସରକାର ଯେମିତି ଟାଳଟୁଳ ନୀତି ଆପଣେଇଛି, ତାହା ମୁଖ୍ୟ ମୁଦ୍ଦା ହେବ । ଧାମନଗରରେ ଓଡ଼ିଶା ବିଜେପି ନେତୃତ୍ୱ ନିର୍ବାଚନ ପରିଚାଳନା ପରାକାଷ୍ଠା ଦେଖାଇଛି । କେନ୍ଦ୍ରରୁ ଯଦି କେହି ଆସିବେ, ତାହାଲେ ସ୍ୱାଗତ କରାଯିବ । ଧାମନଗରରେ ଯେଉଁ ରଣନୀତି ଦଳ କରିଥିଲା ତାହା ପଦ୍ମପୁରରେ ବଦଳିବ । ରଣନୀତି ଅନୁସାରେ ନେତା ପ୍ରଚାରକୁ ଯିବେ । ପ୍ରତ୍ୟେକ ନିର୍ବାଚନରେ ରଣନୀତିରେ ପରିବର୍ତ୍ତନ ହୁଏ । କଳାହାଣ୍ଡି ଓ ବରଗଡ଼ ସାଂସଦ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଅଛନ୍ତି । ଧାମନଗରର ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ପ୍ରଚାର କରିବାକୁ ପଦ୍ମପୁର ଯିବେ । 3 କେନ୍ଦ୍ରମନ୍ତ୍ରୀ ମଧ୍ୟ ପ୍ରଚାର କରିବେ ।
ସେପଟେ ବିଜେଡିର ବରିଷ୍ଠ ବିଧାୟକ ବଦ୍ରୀ ପାତ୍ର କହିଛନ୍ତି ଯେ, ଦଳ ସବୁଠାରେ ମଜବୁତ ଅଛି । ସବୁ ସ୍ଥାନରେ ବିଜୟ ଲକ୍ଷ୍ୟ ରହିଛି । ଧାମନଗର ପରାଜୟର କାରଣ ମୁଖ୍ୟମନ୍ତ୍ରୀ କହିସାରିଛନ୍ତି । ଧାମନଗର ପରାଜୟ ବିଜେଡି ଲାଗି ଦୃଷ୍ଟାନ୍ତ ନୁହେଁ । ପଦ୍ମପୁର ଆମ ଆସନ ଥିଲା, ନିଶ୍ଚୟ ବଜାୟ ରଖିବୁ । ସବୁ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କର ଲୋକପ୍ରିୟତା ଓ ଦବଦବା ରହିଛି । ଧାମନଗର ବିଜେପିର ଥିଲା, ବିଜେପିର ହେଲା । ପଦ୍ମପୁର ବିଜେଡିର ଥିଲା, ବିଜେଡିର ରହିବ ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର