ବରଗଡ଼: କୋରୋନା ମହାମାରୀ ଆଜି ବିଶ୍ଵରେ ତାଣ୍ଡବ ମଚାଇଥିବା ବେଳେ କିନ୍ତୁ ବହୁ କଠୋର ବ୍ୟକ୍ତିଙ୍କ ହୃଦୟକୁ ମଧ୍ୟ ତରଳାଇ ଦେଇଛି ଏହି କରୋନା । ମହାମାରୀ କରୋନା ଯୋଗୁଁ ଆଜି ବହୁ ଲୋକ ନିଜର ମଣିଷତ୍ଵ କୁ ବୁଝିପାରିଛନ୍ତି ଏବଂ ମଣିଷ ତ ମଣିଷ ପଶୁ ସେବାରେ ମଧ୍ୟ ଲାଗିପଡିଛନ୍ତି ଲୋକେ । ଲକଡାଉନ ସମୟରେ ବହୁ ଲୋକ ନିଜକୁ ସମାଜସେବା କାର୍ଯ୍ୟରେ ନିଯୋଜିତ କରିଥିବା ଦେଖିବାକୁ ମିଳିଛି ସତ କିନ୍ତୁ ଏପରି ମଧ୍ୟ ବ୍ୟକ୍ତିତ୍ବ ରହିଛନ୍ତି ଯେଉଁମାନେ କି ବହୁ ଗରିବ ଭୋକିଲାଙ୍କୁ ନିତିଦିନ ଖାଇବାକୁ ଦେଇ ବେଶ ଆତ୍ମତୃପ୍ତି ଲାଭକରିଥାନ୍ତି । ବରଗଡ ସହର ରେଲୱେ ଷ୍ଟେସନ ପଡାରେ ରହୁଥିବା ଗୁଡି ରାଓ ଯିଏ କି ସମାଜସେବା କାର୍ଯ୍ୟରେ ନିଜର ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛନ୍ତି | ଗୁଡି ରାଓ କେବଳ ବରଗଡ ଜିଲ୍ଲା କିମ୍ବା ରାଜ୍ୟ ନୁହେଁ ବରଂ ତାଙ୍କର ସମାଜସେବାର ଗାଥା ସାରା ଦେଶ ତଥା ଦେଶ ବାହାରେ ମଧ୍ୟ ଚର୍ଚ୍ଚିତ ହୋଇରହିଛି । ଗୁଡି ରାଓଙ୍କ ସମାଜସେବାରେ ଖୁସି ହୋଇ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ପ୍ରଶଂସା କରିଥିବା ବେଳେ ବଲିଉଡ଼ ବାଦଶାହା ତାରକା ଅମିତାଭ ବଚ୍ଚନ ମଧ୍ୟ ଗୁଡ୍ଡି ରାୟଙ୍କୁ ଫୋନ କରି ତାଙ୍କୁ ସାଧୁବାଦ ଜଣାଇଛନ୍ତି ।
କରୋନା ମହାମାରୀ ପାଇଁ ଲକଡାଉନ କାରଣରୁ ଲୋକଙ୍କ ଦୁଃଖ ଦୁର୍ଦଶାକୁ ସହ୍ୟ କରିନପାରି ଗୁଡ୍ଡି ରାଓ ତାଙ୍କର ସାଇ ଆହାର କୁ ସମ୍ପୂର୍ଣ ମାଗଣା କରିଦେଇଥିଲେ । ନିଜ ଖର୍ଚ୍ଚରେ ଲକଡାଉନ ଆରମ୍ଭ ଠାରୁ ପ୍ରତିଦିନ ୭୦୦ ରୁ ୮୦୦ ଭୋକିଲା ଙ୍କୁ ଖାଇବାକୁ ଦେଇଥିଲେ ଗୁଡ୍ଡି । ସମସ୍ତଙ୍କୁ ସାମାଜିକ ଦୁରତ୍ଵ ରେ ରଖି ଖାଇବାକୁ ଦିଆଯାଇଥିଲା ସାଇ ଆହାର କେନ୍ଦ୍ରରେ ଯାହାକି ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ସାଇ ଆହାର କେନ୍ଦ୍ର ନିକଟରେ ସଠିକ ବ୍ୟବଧାନରେ ଧଳା ରଙ୍ଗର ଚିହ୍ନ ଦିଆଯାଇ ଲୋକଙ୍କୁ ସେଠାରେ ଖାଇବାକୁ ଦିଆଯାଇଥିଲା । ଗୁଡ୍ଡି ରାଓଙ୍କ ଏପରି ପଦକ୍ଷେପ କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟର ମାଧ୍ୟମରେ ତାଙ୍କୁ ଶୁଭେଚ୍ଚା ଜଣାଇଥିଲେ । ଅନ୍ୟପଟେ ଦେଶ ବାହାରେ ଥିବା ଲୋକେ ମଧ୍ୟ ଖବର ପାଇ ବିଦେଶରୁ ଆର୍ଥିକ ସାହାଯ୍ୟର ହାତ ବଢାଇଥିଲେ ଗୁଡ୍ଡି ଙ୍କୁ ।
ଗୁଡି ରାଓଙ୍କର ଏପରି ସମାଜ ସେବାକୁ ଦେଖି ବିଗ ବି ଅମିତାଭ ବଚ୍ଚନ ମଧ୍ୟ ଗୁଡ୍ଡି ରାଓଙ୍କୁ ଫୋନ କରିପକାଇଥିଲେ । ଅମିତାଭ ବଚ୍ଚନ ଗୁଡ୍ଡି ରାଓ ଙ୍କ ସଙ୍ଗେ ଦୀର୍ଘ ଗୋଟେ ଘଣ୍ଟା କଥାବାର୍ତ୍ତା ହୋଇଥିଲେ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ବିଷୟରେ ପଚାରି ବୁଝିଥିଲେ । ଶେଷରେ ଗୁଡ୍ଡି ଙ୍କ ଏପରି ମହତ କାର୍ଯ୍ୟ ପାଇଁ ତାଙ୍କୁ ଧନ୍ୟବାଦ ଦେବା ସହିତ ଶୁଭକାମନା ଜଣାଇଥିବା କହନ୍ତି ଗୁଡ୍ଡି ରାଓ । ଆଜି ଗୁଡ୍ଡି ରାଓଙ୍କ ସମାଜସେବା ଅନ୍ୟ ମାନଙ୍କ ପାଇଁ ଏକ ପ୍ରେରଣା ସାଜିଥିବା ବେଳେ ସାରା ଦେଶରେ ବରଗଡ ଜିଲ୍ଲାର ନାମ ରଖୁଛନ୍ତି ଗୁଡ୍ଡି ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ