ବରଗଡ: ମାଓବାଦ କାର୍ଯ୍ୟକଳାପ ତ୍ୟାଗ କରି ପୋଲିସ ନିକଟରେ ନିଜକୁ ସମର୍ପିତ କରିବାକୁ ମାଓବାଦୀଙ୍କୁ ଅପିଲ କରିଛନ୍ତି ବରଗଡ ଏସପି ପଦ୍ମିନୀ ସାହୁ । ଜିଲ୍ଲାରେ ଦୀର୍ଘ ଦିନ ପରେ ପୁଣି ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କରିଛନ୍ତି ଏବଂ ଘଞ୍ଚ ଜଙ୍ଗଲ ଭିତରେ ରହିଥିବା ଗ୍ରାମବାସୀଙ୍କ ସହିତ କରୁଛନ୍ତି ସଭା ସମିତିର ଆୟୋଜନ । ତେବେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସଭା ଚାଲିଥିବା ଗ୍ରାମରେ ପହଞ୍ଚିଲା ବରଗଡ ପୋଲିସ । ପରେ ଉଭୟ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ମାତ୍ର ଅନ୍ଧାର ରାତିର ସୁଯୋଗ ନେଇ ମାଓବାଦୀମାନେ ଖସି ଚାଲିଯାଇଥିଲେ ।
ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଝାଞପାହାଡ ସୁକତେଲମା ଗ୍ରାମରେ ମଙ୍ଗଳବାର ସନ୍ଧ୍ୟା ୭ଟା ସମୟରେ ମାଓବାଦୀମାନେ ଏକ ସଭା କାର୍ଯ୍ୟକ୍ରମ ଚଳାଇଥିଲେ । ପୋଲିସ ନିକଟକୁ ଏହାର ଗୁପ୍ତ ସୂଚନା ପହଞ୍ଚିବା ପରେ ଜିଲ୍ଲା ପୋଲିସ ଡିଭିଏଫ ଟିମ ପକ୍ଷରୁ ସଭା ଚାଲିଥିବା ଗ୍ରାମକୁ ଘେରି ଚଢାଉ କରାଯାଇଥିଲା । ମାଓବାଦୀଙ୍କ ଫେରିବା ବାଟରେ ପୋଲିସ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ଅପିଲ କରିଥିଲା, କିନ୍ତୁ ମାଓବାଦୀମାନେ ପୋଲିସ ଉପରକୁ ଗୁଳି ଚଳାଇଥିବା ବେଳେ ପୋଲିସ ମଧ୍ୟ ପାଲଟା ଜବାବ ଦେଇଥିଲା ।
ତେବେ ଉଭୟ ପକ୍ଷରୁ ଦୀର୍ଘ ସମୟ ଧରି ଗୁଳି ବିନିମୟ ଚାଲିବା ପରେ ମାଓବାଦୀମାନେ ଫେରାର ହେବାରେ ସଫଳ ହୋଇଥିଲେ । ଘଟଣା ସ୍ଥଳରେ ପୋଲିସକୁ ମାଓବାଦୀମାନଙ୍କର ବହୁ ସାମଗ୍ରୀ ମିଳିଛି । ଚାଉଳ, ଖାଇବା ତେଲ, ତାରପୋଲିନ ଓ ୧୪ ରାଉଣ୍ଡ ଅଫୁଟା ଗୁଳି ସହିତ ବହୁ ସାମଗ୍ରୀ ପୋଲିସ ଜବତ କରିଛି | ଅନ୍ୟପକ୍ଷେ ମାଓବାଦୀମାନେ ନିଜକୁ ସରେଣ୍ଡର କରି ସେମାନେ ନିଜ ଜୀବନକୁ ନୂତନ ଶୈଳୀରେ ବଞ୍ଚିବାକୁ ଅପିଲ କରିଛନ୍ତି ବରଗଡ ଏସପି ପଦ୍ମିନୀ ସାହୁ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ