ବରଗଡ: ଆସନ୍ତା ନଭେମ୍ବର ୨୦ ତାରିଖରେ ଆରମ୍ଭ ହେବାକୁ ଯାଉଛି ବରଗଡର ୧୮ତମ ପୁସ୍ତକମେଳା । ଏନେଇ ବରଗଡ ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ରବିବାର ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି । ଏହି ସମ୍ମିଳନୀରେ ୨୦ ତାରିଖରେ ହେବାକୁ ଥିବା ପୁସ୍ତକମେଳାରେ ଗାନ୍ଧୀଜୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ଓ ଚିତ୍ର ସମ୍ବଳିତ ସାବରମତୀ ଆଶ୍ରମ ପରି ସଜ୍ଜିତ କରାଯିବା ନେଇ ଆଲୋଚନା ହୋଇଛି ।
ତେବେ ଦୀର୍ଘ ୧୮ ବର୍ଷ ହେବ ବରଗଡ ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଏହି ପୁସ୍ତକମେଳା ଆୟୋଜନ ହୋଇଆସୁଛି । ତେବେ ଚଳିତ ବର୍ଷ ପୁସ୍ତକ ମେଳାରେ ସର୍ବମୋଟ 129ଗୋଟି ଷ୍ଟଲର ବ୍ୟବସ୍ଥା କରାଯାଇଥିବା ବେଳେ ୮୦ ଗୋଟି ଷ୍ଟଲରେ କେବଳ ପୁସ୍ତକ ପ୍ରଦର୍ଶନ ପାଇଁ ରଖାଯାଇଛି ।
୨୦ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପୁସ୍ତକ ମେଳାରେ ପ୍ରତିଦିନ ଅପରାହ୍ନ 3 ଟାରୁ ରାତି 9ଟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ମଧ୍ୟରେ ପଦ୍ମଶ୍ରୀ ହଳଧରଙ୍କ କବିତା ଆବୃତ୍ତି, ବ୍ୟଙ୍ଗକବି ସମ୍ମିଳନୀ, ମହିଳା କାର୍ଯ୍ୟକ୍ରମ ସହିତ ଧାର୍ମିକ ଆଲୋଚନାର କାର୍ଯ୍ୟକ୍ରମ ରହିଛି ।
କବି ଓ ପୂର୍ବତନ ଓଡିଆ ସାହିତ୍ୟ ଏକାଡେମୀ ସଚିବ ଅଶ୍ଵିନୀ ମିଶ୍ର ଉଦଘାଟନ ସମାରୋହରେ ଯୋଗଦାନ ଦେବେ ବୋଲି ସମ୍ମିଳନୀରେ ସୂଚନା ଦିଆଯାଇଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ