ବରଗଡ: ବରଗଡ ଜିଲ୍ଲା ସୋହେଲା ଠାରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ ନିନ୍ଦା କଲା ବରଗଡ ପ୍ରେସ କ୍ଲବ ଏବଂ ଓକିଲ ସଂଘ । ଚାରି ଦିନ ତଳେ ସୋହେଲାରେ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ ଏବଂ ରାସ୍ତାରୋକର ଖବର ସଂଗ୍ରହ କରିବାକୁ ଯାଇଥିବା ଦୁଇଟି ଗଣମାଧ୍ୟମର ଦୁଇଜଣ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । କିଛି ଦୁର୍ବୃତ୍ତ ଦିନ ଦ୍ବିପ୍ରହରରେ କାଠ ଫାଳିଆ ଓ ଠେଙ୍ଗାରେ ସେମାନଙ୍କୁ ମାଡ ମାରି ଲହୁଲୁହାଣ କରିବା ସହ ଦଳ ବିରୋଧରେ କାହିଁକି ଖବର ପ୍ରସାରଣ କରୁଛ ବୋଲି କହିଥିଲେ । ଏପରି ଭାବେ ଗଣମାଧ୍ୟମର କଣ୍ଠରୋଧ କରିବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଥିବାବେଳେ ଆକ୍ରମଣକାରୀଙ୍କୁ ଚିହ୍ନଟ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବରଗଡ ଏସପିଙ୍କ ନିକଟରେ ଦାବି ହୋଇଛି ।
ଅଭିଯୋଗ ଅନୁଯାୟୀ, ସୋହେଲାରେ ଚାଷୀଙ୍କ ବିକ୍ଷୋଭ ଖବର ସଂଗ୍ରହ ବେଳେ ପାଖାପାଖି ୮ରୁ ୧୦ ଜଣ ଦୁର୍ବୃତ୍ତ ଦୁଇ ସାମ୍ବାଦିକଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ । ଏପରିକି ସେମାନଙ୍କୁ ମୋବାଇଲ ମଧ୍ୟ ଲୁଟି ନେଇଯାଇଥିଲେ । ଏହାପରେ ସ୍ଥାନୀୟ ଲୋକେ ଦୁହିଁଙ୍କ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ସୋହେଲା ଗସ୍ତ ପୂର୍ବରୁ ରାଜନୈତିକ ଆକ୍ରୋଶ ରଖି ଏହି ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋହେଲା ବ୍ଲକର ହଳଦୀପାଳି ଗ୍ରାମକୁ ମୁଖ୍ୟମନ୍ତ୍ରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଯେପରି କୌଣସି ପ୍ରକାରର ଦଳ ବିରୋଧୀ ଖବର ପ୍ରସରଣ ନହୁଏ ସେନେଇ ପୂର୍ବ ଯୋଜନା ମୁତାବକ ଦୁଇ ସମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଆକ୍ରମଣର ଶିକାର ସାମ୍ବାଦିକ ।
ଏହାମଧ୍ୟ ପଢନ୍ତୁ: ଅପରାଜିତାଙ୍କୁ ସୁଲତାଙ୍କ କଡ଼ା ଜବାବ: ମୁଖ୍ୟମନ୍ତ୍ରୀଙ୍କ କାମ କଥା କହେ, ବ୍ରାଣ୍ଡିଂ ଲୋଡ଼ାନାହିଁ
ସାମ୍ବାଦିକଙ୍କ ଉପରେ ଏପରି ଆକ୍ରମଣ ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରିବା ସହିତ ବରଗଡ ବାର ଏସୋସିଏସନ ମଧ୍ୟ ଏହି ଘଟଣାର ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି । ଗଣମାଧ୍ୟମର କଣ୍ଠରୋଧ କରିବା ଗଣତନ୍ତ୍ରର ହତ୍ୟା ବୋଲି କହିଛନ୍ତି ବୁଦ୍ଧିଜୀବୀ ତଥା ଓକିଲ କିରଣ ମିଶ୍ର । ପ୍ରକାଶଥାଉ କି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶାର ୩ ଜିଲ୍ଲା କଳାହାଣ୍ଡି, ନୂଆପଡା ଓ ବରଗଡ ଗସ୍ତ କରିବେ । ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ।
ଇଟିଭି ଭାରତ, ବରଗଡ