ବରଗଡ: ଜିଲ୍ଲାରେ ପୁଣି ଦେଖିବାକୁ ମିଳିଲା ମାଓ ପୋଷ୍ଟର ଓ ବ୍ୟାନର । ଓଡ଼ିଶା ଓ ଛତିଶଗଡକୁ ସଂଯୋଗ କରୁଥିବା ପାଇକମାଳରେ ମାଓ ପୋଷ୍ଟର । ଗତ କିଛି ବର୍ଷ ଏହି ମାଓ ପ୍ରବଣ ଅଞ୍ଚଳରେ ମାଓବାଦୀଙ୍କ କାର୍ଯ୍ୟାକଳାପ କମିଯାଇଥିଲା । ହେଲେ ଆଜି ପୁଣି ଏହି ପୋଷ୍ଟର ଲଗାଇ ନିଜ ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ । ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକେ ଏହାକୁ ଭୟଭୀତ ହୋଇପଡିଛନ୍ତି ।
ଆଜି ସକାଳୁ ପାଇକମାଲ ନୂଆପଡା ରାସ୍ତାର ଚେରେଙ୍ଗାଝାଞ୍ଜ ରୋଡ ଉପରେ ମାଓବାଦୀଙ୍କ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି । ଏଥିରେ ସେମାନେ ତାଙ୍କର ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି । ଯେଉଁଥିରେ ଡିସେମ୍ବର 2ରୁ 8ତାରିଖ ଯାଏଁ ପିଏଲଜିଏ ସହିଦ ସପ୍ତାହ ପାଳନ କରିବାକୁ ଉଲ୍ଲେଖ କରାଯାଇଛି । ଏଥିସହ ବ୍ରାହ୍ମଣୀୟ ହିନ୍ଦୁ ଫାସିବାଦୀକୁ ବିରୋଧ କରାଯାଇଛି । ଡିସେମ୍ବର 6 ତାରିଖକୁ ହିନ୍ଦୁ ଫାସିବାଦୀ ଦିବସ ଭାବେ ପାଳନ କରିବା ସହ ଦଳିତ ଓ ଅଳ୍ପ ସଂଖ୍ୟକଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରାଯାଇଛି । ସେପଟେ, ଘଟଣା ବିଷୟରେ ପୋଲିସ ଖବର ପାଇବା ପରେ ପାଇକମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ପୋଷ୍ଟର ଓ ବ୍ୟାନରଗୁଡିକୁ ଜବତ କରିଛନ୍ତି |
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ