ବରଗଡ:ଆମ ଆଦମୀ ପାର୍ଟିର ଅଭିନବ ଉପାୟରେ ସେବା । ବୁଲି ବୁଲି କରୁଛନ୍ତି ଅକ୍ସିଜେନ ପରୀକ୍ଷା । ବରଗଡ଼ ଆମ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ଅଭିନବ ଉପାୟରେ ସେବା ଯୋଗାଇ ଦେଉଛନ୍ତି । ଗୁରୁବାର ଏହି କର୍ମକର୍ତ୍ତାମାନେ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅକ୍ସି ମିଟର ହାତରେ ନେଇ ବୁଲି ବୁଲି ଜନସାଧାରଣଙ୍କ ଅକ୍ସିଜେନ ପରୀକ୍ଷା କରିଛନ୍ତି ।
ଏହାଦ୍ବାରା ଜନସାଧାରଣ ନିଜର ଅମ୍ଳଜାନ କ୍ଷମତା କେତେ ଅଛି ଜାଣି ପାରିବେ । ସେମାନେ ତଦ୍ୱାରା କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି କି ନା ଏବଂ ତାଙ୍କର ଅମ୍ଳଜାନ କ୍ଷମତା କେତେ ଅଛି ଜାଣି ପାରିବେ । ଗୁରୁବାର ଦିନ ଜିଲ୍ଲାର ସ୍ଥିତି ଧୀରେ ଧୀରେ ବହୁତ ଖରାପ ସ୍ଥିତିକୁ ଯାଉଥିବାବେଳେ ଜନ ସାଧାରଣଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଆମ ଆଦମୀ ପାର୍ଟି ଆଗେଇ ଆସିଛି । ଦିଲ୍ଲୀ ମଡେଲକୁ ଅନୁକରଣ କରି ଗାଁ ଗାଁରେ ତାଙ୍କର କର୍ମୀମାନଙ୍କୁ ଗୋଟିଏ ଲେଖାଏଁ ଅକ୍ସି ମିଟର ପ୍ରଦାନ କରାଯାଇଛି ଏବଂ ଲିଫଲେଟ୍ ମାଧ୍ୟମରେ ଜନ ସାଧାରଣଙ୍କୁ ସୂଚନା ଦିଆଯାଇଛି ଯେ ସେମାନେ ଏହି ଅକ୍ସି ମିଟର ଦ୍ଵାରା ନିଜର ଅମ୍ଳଜାନର ସ୍ଥିତି ସଂପର୍କରେ ଜାଣିପାରିବେ ।
ଯଦି ସେମାନଙ୍କୁ କାଶ, ଜ୍ଵର ଲଗାତାର ଭାବରେ ହେଉଥାଏ ସେମାନେ ତାଙ୍କ ଦଳର ସଦସ୍ୟମାନଙ୍କୁ ଫୋନ ଯୋଗେ ଖବର ଦେଲେ ସେମାନେ ତାଙ୍କୁ ହସ୍ପିଟାଲ ପହଞ୍ଚାଇ ଚିକିତ୍ସା ବ୍ୟବସ୍ଥା କରାଇବେ ବୋଲି ଏଥିରେ ଉଲ୍ଲେଖ ରହିଛି ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ