ବରଗଡ: ଏକ ପୋଲ ତଳେ ଗୁରୁତ୍ବର ଅବସ୍ଥାରେ ପଡିଥିବା ଜଣେ ଯୁବତୀଙ୍କୁ ଉଦ୍ଧାର କଲା ବରଗଡର ସଂକଳ୍ପ ପରିବାର । ହତ୍ୟା ଉଦ୍ଦେଶ୍ୟରେ ପୋଲ ତଳକୁ ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି । ତେବେ ସୌଭାଗ୍ୟବଶତଃ ଗୁରୁତ୍ବର ଅବସ୍ଥାରେ ଯୁବତୀ ଜଣଙ୍କ ପୋଲ ତଳେ ପଡିରହିଥିଲେ ।
ଖବର ପାଇ ସଂକଳ୍ପ ପରିବାରର ସଦସ୍ୟ ମାନେ ଘଟଣା ସ୍ଥଳରୁ ଝିଅ ଟିକୁ ଉଦ୍ଧାର କରି ଡାକ୍ତରଖାନାକୁ ପହଞ୍ଚାଇଛନ୍ତି ।

ସୂଚନା ଅନୁଯାୟୀ, ବରଗଡ ବ୍ଲକ ବରଡୋଲ ଗ୍ରାମପଞ୍ଚାୟତ ଦେଓଗାଁ ପୋଲ ତଳେ ଗୁରୁତର ଅବସ୍ଥାରେ ପଡ଼ିଥିବା ଜଣେ ଯୁବତୀଙ୍କୁ ସଂକଳ୍ପ ପରିବାର ଉଦ୍ଧାର କରି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଟୁକୁର୍ଲ୍ଲାକୁ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।
ତାଙ୍କ ନିକଟରୁ ଉଦ୍ଧାର ହୋଇଥିବା ଆଧାର କାର୍ଡରୁ ଯୁବତୀ ଜଣଙ୍କ ଘର ଛତିଶଗଡରେ ବୋଲି ଜଣାପଡିଛି । ପେଣ୍ଡରୀ, ରାଜନନ୍ଦଗାଓ, ଭାନପୁରୀ ଗ୍ରାମର 11 ନମ୍ବର ୱାର୍ଡ ବାବୁଲୁ ସିଂହ ଙ୍କର ଝିଅ ବୋଲି ଆଧାର କାର୍ଡରୁ ଜଣାପଡିଛି । ପରିବାର ଲୋକଙ୍କୁ ସୂଚନା ଦିଆଯିବା ନେଇ ସ୍ଥାନୀୟ ପ୍ରଶାସନ ପ୍ରୟାସ କରୁଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ