ବରଗଡ: ସମାଜରେ ଅବହେଳିତ, ନିଷ୍ପେସିତ ବିଶେଷ କରି ଦିବ୍ୟାଙ୍ଗ ପାଇଁ ସରକାରଙ୍କ ମାଳ ମାଳ ଯୋଜନା । ଏଥିପାଇଁ ସରକାରୀ ରାଜକୋଷରୁ ବି ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ଏମାନଙ୍କ ପାଇଁ ଚିକିତ୍ସା ପାଣ୍ଠି, ସ୍ବାସ୍ଥ୍ୟବୀମା ଭଳି ଅନେକ ଯୋଜନା ରହିଛି । ଏପରିକି ଦିବ୍ୟାଙ୍ଗ ଭତ୍ତାଠୁ ଆରମ୍ଭ କରି ଅନେକ ପ୍ରକାର ସୁବିଧା ସୁଯୋଗ ମଧ୍ୟ ରହିଛି । ହେଲେ ଦୁର୍ଭାଗ୍ୟ ବିଷୟ ଯେ ଏହାର ସୁଫଳ ପାଉନାହାନ୍ତି ସମାଜରେ ରହୁଥିବା ସବୁ ଦିବ୍ୟାଙ୍ଗ । ଆଉ ଏଥିରେ ସାମିଲ ଅଛନ୍ତି ବରଗଡ ଜିଲ୍ଲାର ଭଟଲି ବ୍ଲକ ନୂଆଗଡ ଗ୍ରାମର ଗରିବ ପ୍ରସନ୍ନ ଭୁଏଙ୍କ ଏକମାତ୍ର ପୁଅ ।
ଜନ୍ମରୁ ଦିବ୍ୟାଙ୍ଗ ପ୍ରସନ୍ନଙ୍କ ପୁଅର ବୟସ ମାତ୍ର 5 ବର୍ଷ । ହେଲେ ବର୍ତ୍ତମାନ ସୁଦ୍ଧା ତାକୁ ସରକାରୀ ସହାୟତା ମିଳିନଥିବା ବେଳେ ପରିବାରକୁ ମିଳିନି ବିପିଏଲ କାର୍ଡ । ସେପଟେ ପୁଅର ଭବିଷ୍ୟତ ପାଇଁ ଚିନ୍ତିତ ପ୍ରସନ୍ନ ପୁଅର ଚିକିତ୍ସାରେ ସର୍ବସ୍ବାନ୍ତ ହୋଇସାରିଛନ୍ତି । ଆଉ ଏବେ ସରକାରୀ ଭତ୍ତା ପାଇବା ଆଶାରେ ଦିବ୍ୟାଙ୍ଗ ପୁଅ ଓ ତାର ଦିବ୍ୟାଙ୍ଗ ସାର୍ଟିଫିକେଟକୁ କାଖେଇ କାଖେଇ ଏ ଅଫିସରୁ ସେ ଅଫିସ ଦୌଡୁଛନ୍ତି । କିନ୍ତୁ ଏହି ଗରିବ ବାପାର ମନକୁ କେହି ସରକାରୀ ବାବୁ ବୁଝୁନଥିବା ବେଳେ ଶେଷରେ ଥକ୍କା ହରା ଏହି ମଣିଷର କୋହଭରା କଣ୍ଠରେ ଦୁଃଖ ଶୁଣିବାକୁ ମିଳିଥିଲା ବରଗଡ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ।
ସରକାରୀ ସହଯୋଗରୁ ବଞ୍ଚିତ ପ୍ରସନ୍ନଙ୍କ ପରିବାର ନିଜ ଦିବ୍ୟାଙ୍ଗ ପୁଅ ପାଇଁ ଜନସାଧାରଙ୍କୁ ସାହାଯ୍ୟର ହାତ ବଢାଇବା ପାଇଁ ଅନୁରୋଧ କରିଛନ୍ତି । ଦିବ୍ୟାଙ୍ଗ ଶିଶୁକୁ ସାହାଯ୍ୟ କରିବାକୁ ଇଚ୍ଛୁକ ବ୍ୟକ୍ତି ମୋବାଇଲ ନମ୍ବର 9556462829ରେ ଯୋଗାଯୋଗ କରିବାକୁ ଅନୁରୋଧ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ