ବରଗଡ: ପରାଧୀନ ଭାରତକୁ ଇଂରେଜ ମାନଙ୍କ କବଳରୁ ମୁକୁଳାଇବାକୁ ଅନେକ ବୀର ଯୋଦ୍ଧା ବିଦ୍ରୋହର ଅଗ୍ନିରେ ଝାସ ଦେଇଥିଲେ । ମାଟି ମା'କୁ ସ୍ବାଧୀନ କରିବାକୁ ଏମାନେ ଭୁଲିଯାଇଥିଲେ ନିଜକୁ ଓ ନିଜ ଆତ୍ମୀୟଙ୍କୁ । ହେଲେ ସମୟ ସହିତ ଇତିହାସ ପୃଷ୍ଠାରୁ ହଜିବାରେ ଲାଗିଛି ସେହି ବୀର ଯୋଦ୍ଧା ଓ ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନର ଗାଥା । ସ୍ବାଧୀନତା ସଂଗ୍ରାମୀ ତଥା ପଶ୍ଚିମ ଓଡିଶାର ବୀର ପୁତ୍ର ମାଧୋ ସିଂ ବରିହା ହେଉଛନ୍ତି ତା' ମଧ୍ୟରୁ ଜଣେ । ପଶ୍ଚିମ ଓଡିଶାର ବରଗଡ ଜିଲ୍ଲା ଘେଁସ ଗ୍ରାମର ସ୍ଵାଧୀନତା ସଂଗ୍ରାମୀ ପରିବାରର ବୀରତ୍ବ ଗାଥା ହୁଏତ ସ୍ବାଧୀନ ଭାରତର ଇତିହାସରେ ଏକ ବିରଳ କାହାଣୀ । ହେଲେ ଜମିଦାର ମାଧୋ ସିଂହ ବରିହା ଓ ତାଙ୍କର ପରିବାରର ସଦସ୍ୟଙ୍କ ଅବଦାନ ଅତୁଳନୀୟ ।
୧୮୫୭ ମସିହା ପ୍ରଥମ ମୁକ୍ତି ସଂଗ୍ରାମରେ ମାତୃଭୂମିକୁ ସ୍ଵାଧୀନତା ଦେବା ପାଇଁ ବରଗଡ ଜିଲ୍ଲା ଘେଁସ ଗ୍ରାମର ଜମିଦାର ମାଧୋ ସିଂ ଓ ତାଙ୍କର ଚାରି ପୁଅ ହଟେ ସିଂ, କୁଞ୍ଜଳ ସିଂ, ଐରି ସିଂ ଓ ବୈରୀ ସିଂ ସ୍ଵାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରହସନରେ ୧୮୫୭ ମସିହାରେ ପ୍ରଥମ ମୁକ୍ତି ସଂଗ୍ରାମରେ ସାମିଲ ହୋଇ ଇଂରେଜ ମାନଙ୍କ ବିରୋଧରେ ଲଢେଇ କରିଥିଲେ । ୧୮୫୭ରୁ ୧୮୬୨ ମଧ୍ୟରେ ଇଂରେଜ ମାନଙ୍କ ବିରୋଧରେ ବ୍ୟାପକ ଲଢେଇ ହୋଇଥିଲା । ଶିଙ୍ଗୋଡା ଘାଟି ଠାରୁ ଆରମ୍ଭ କରି ବାରପାହାଡ ଜଙ୍ଗଲ ଭିତରେ ଅନେକ ଇଂରେଜ ମାନଙ୍କୁ ମାରିବା ସହିତ ଖୋଲାଖୋଲି ଯୁଦ୍ଧ କରିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ହଟେ ସିଂ ଓ ବୈରୀ ସିଂ ଙ୍କୁ ଗିରଫ କରିଥିଲା ବ୍ରିଟିଶ ସେନା । ବୈରୀ ସିଂଙ୍କୁ ସମ୍ବଲପୁର ଜେଲରେ ରଖାଯାଇଥିଲା । ସେଠାରେ ସେ ପ୍ରାଣ ତ୍ୟାଗ କରିଥଲେ ଏବଂ ହଟେ ସିଂଙ୍କୁ ସୁଦୂର ଆଣ୍ଡାମାନରେ କଳାପାଣି ଦଣ୍ଡ ଦିଆଯାଇଥିଲା, ଯେଉଁଠାରେ ସେ ମୃତ୍ୟୁବରଣ କରିଥିଲେ । ସେହିପରି କୁଞ୍ଜଳ ସିଂଙ୍କୁ ମଧ୍ୟ ଇଂରେଜ ମାନେ ସମ୍ବଲପୁର ଠାରେ ଫାଶୀ ଦଣ୍ଡ ଦେଇଥିଲେ । ପୁଅ ଐରି ସିଂ ଇଂରେଜ ମାନଙ୍କ ସହିତ ଲଢେଇରେ ପ୍ରାଣ ହରାଇଥିଲେ । ମାଧୋ ସିଂ ଇଂରେଜ ମାନଙ୍କ ସହିତ 72 ବର୍ଷ ବୟସ ପର୍ଯ୍ୟନ୍ତ ଲଢେଇ କରି ଜଙ୍ଗଲ ଭିତରେ ବସବାସ କରୁଥିଲେ । 72 ବର୍ଷ ବୟସରେ ଇଂରେଜମାନେ ମାଧୋ ସିଂଙ୍କୁ ବିଶ୍ରାମ ନେଇଥିବା ସମୟରେ ମାଟିଆଭଟା ଗ୍ରାମରୁ ଗିରଫ କରିଥିଲେ । ୧୮୫୮ ମସିହା ଡିସେମ୍ବର ୩୧ ତାରିଖରେ ସମ୍ବଲପୁର ଜେଲରେ ବୃଦ୍ଧ ବୟସରେ ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ ।
ତେବେ ଗୋଟିଏ ପରିବାରର ପିତା ଓ ପୁତ୍ର ସହିତ ପାଞ୍ଚ ଜଣ ଶହୀଦ ହୋଇଥିବା ଘଟଣା ସମଗ୍ର ଇତିହାସରେ ଏକ ବିରଳ ହୋଇଥିବାବେଳେ ଏହି ଶହୀଦ ପରିବାରର ସ୍ମୃତିକୁ ବଜାୟ ରଖିବା ପାଇଁ ରାଜ୍ୟ ସରକାର ୧୯୯୭ ମସିହାରେ ଡିସେମ୍ବର ୩୧ ତାରିଖକୁ ରାଜ୍ୟ ସ୍ତରୀୟ ବୀରତା ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଥିଲେ । ସେହି ଦିନ ଠାରୁ ପ୍ରତିବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଘେଁସରେ ଜିଲ୍ଲା ସ୍ତରୀୟ ବୀରତା ଦିବସ ପାଳିତ ହୋଇଥାଏ । ତେବେ ଦେଶ ସ୍ଵାଧୀନ ହେବାର ଏତେ ବର୍ଷ ପରେ ଏହି ବୀର ପୁରୁଷ ମାନଙ୍କର ବୀର ଗାଥା ଲୋକ ନୟନରୁ ଲିଭିବାକୁ ବସିଛି । ନୂତନ ପିଢିର ଯୁବକ ଯୁବତୀ ଏହି ପରିବାରର ଶହୀଦ ବୀର ମାନଙ୍କର ବଳିଦାନ ବିଷୟରେ ଅନଭିଜ୍ଞ ହୋଇ ରହିଛନ୍ତି । ଏପରିକି ଏହି ଶହୀଦମାନଙ୍କ ନାମରେ ରାଜଧାନୀରେ କୌଣସି ଛକ କିମ୍ବା ମାର୍ଗକୁ ନାମିତ କରାଯାଇନଥିବା ବେଳେ କୌଣସି ପାଠ୍ୟପୁସ୍ତକ ମାନଙ୍କରେ ମଧ୍ୟ ଏହି ବୀର ପୁରୁଷ ମାନଙ୍କ ବୀରତା ଉପରେ ଉଲ୍ଲେଖ କରାଯାଇନାହିଁ । ତେବେ ବରଗଡର କିଛି ବୁଦ୍ଧିଜୀବୀଙ୍କ ପ୍ରୟାସ କ୍ରମେ ବରଗଡ ସ୍ଥିତ ହଳଦୀପାଳି ଛକ ଠାରେ ସହିଦ ବୀର ଘେଁସ ଜମିଦାର ମାଧୋ ସିଂ ଏବଂ ତାଙ୍କର ଚାରି ପୁତ୍ରଙ୍କ ସ୍ମୃତିରେ ଏକ ଶହୀଦ ସ୍ତମ୍ଭ ସ୍ଥାପନା କରାଯାଇଛି ।
ସେହିପରି ୧୯୯୭ ମସିହା ଠାରୁ ଏହି ଶହୀଦ ପରିବାରଙ୍କ ଦୟନୀୟ ଅବସ୍ଥା ରାଜ୍ୟ ସରକାରଙ୍କ ନଜରରେ ଆସିଥିଲେ ମଧ୍ୟ ଅବହେଳିତ ହୋଇ ପଡିରହିଥିଲା ଘେଁସ ଜମିଦାରଙ୍କ ବହୁ ପୁରୁଣା ବାସଭବନ । ଯେଉଁ ବୀର ପରିବାରର ବୀର ଗାଥା ଇତିହାସର ପୃଷ୍ଠାରେ ଲିପିବଦ୍ଧ ହୋଇ ରହିବା କଥା । ଯେଉଁ ବୀର ପୁରୁଷଙ୍କ ସ୍ଥାନକୁ ସରକାର ସଂରକ୍ଷଣ କରି ରଖିବା କଥା ଅବହେଳା କାରଣରୁ ଭାଙ୍ଗିବାକୁ ବସିଥିଲା ସେହି ଐତିହାସିକ ବଙ୍ଗଳା । ରକ୍ଷଣାବେକ୍ଷଣ ଅଭାବ ହେତୁ ଭଗ୍ନ ଅବସ୍ଥାରେ ହଜିବାକୁ ବସିଥିଲା ଘେଁସ ଜମିଦାର ମାଧୋ ସିଂଙ୍କ ଘର । ହେଲେ ଗତ କିଛି ବର୍ଷ ହେଲା ସଂସ୍କୃତି ବିଭାଗ ପକ୍ଷରୁ ଏହାର ପୁନରୁଦ୍ଧାର କରାଯାଇଛି । ପୂର୍ବରୁ ଯେପରି ଘେଁସ ଜମିଦାରଙ୍କ ବାସଭବନ ରହିଥିଲା, ସେହିପରି ଭାବରେ ପୁଣି ଏହାକୁ ନିର୍ମାଣ କରାଯାଇ ପୁନଃ ଜୀବିତ କରାଯାଇଛି । ମା' ମାତୃଭୂମି ପାଇଁ ଜୀବନକୁ ଜଳାଞ୍ଜଳି ଦେବାର ପ୍ରେରଣା ସାଜିଛି ଏବେ ଏହି ସ୍ଥାନ, ହେଲେ ଏହି ବୀର ପୁରୁଷ ମାନଙ୍କର ବୀରତ୍ଵ କାହାଣୀ ଏବେ ହଜିଯାଇଛି ଇତିହାସ ପୃଷ୍ଠା ଭିତରେ । କୌଣସି ପାଠ୍ୟ ପୁସ୍ତକ ମାନଙ୍କରେ ମଧ୍ୟ ଏହି ବୀର ସନ୍ତାନ ମାନଙ୍କ ବିଷୟରେ ବର୍ଣ୍ଣିତ ହୋଇନଥିବାରୁ ଆଗାମୀ ପିଢିର ଛାତ୍ରଛାତ୍ରୀମାନେ ଜାଣିପାରୁନାହାନ୍ତି ନିଜ ଅଞ୍ଚଳର ବୀର ପୁରୁଷଙ୍କ ଗାଥା । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି ବରଗଡ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ