ବରଗଡ଼: ଗାଈକୁ ଖାଇବା ଦେବାକୁ ଯାଇ ପଡୋଶୀ ଘରର କୂଅ ଭିତରେ ପଡି ଚାଲିଗଲା ଅଢେଇ ବର୍ଷ ଶିଶୁର ଜୀବନ । ଏପରି ଦୁଃଖଦ ଘଟଣା ଘଟିଛି ବରଗଡ ଜିଲ୍ଲା ଭଟଲି ଅଞ୍ଚଳରେ ।
ବରଗଡ ଜିଲ୍ଲା ଭଟଲି ବାସିନ୍ଦା ସୁଶୀଲ କୁମାର ପଣ୍ଡାଙ୍କର ଅଢେଇ ବର୍ଷର ପୁଅ ସୌରଭ ପ୍ରତିଦିନ ମାଆ କିମ୍ବା ବାପାଙ୍କ ସହିତ ପଡୋଶୀ ଘର ସମ୍ମୁଖରେ ଥିବା ଏକ ଗାଈକୁ ଘରର ପରିବା ଚୋପା ଖାଇବାକୁ ଦେବାକୁ ଯାଏ । ତେବେ ସୋମବାର ସୌରଭ ଖେଳୁଥିବା ବେଳେ ଏକ ଅମୃତଭଣ୍ଡା ଗଛର ଡାଳ ଧରି ଗାଈଟିକୁ ଖାଇବାକୁ ଦେବାପାଇଁ ଏକାକୀ ଚାଲିଯାଇଥିଲା ।
ଦୀର୍ଘ ସମୟ ପର୍ଯ୍ୟନ୍ତ ଘର ଲୋକେ ସୌରଭକୁ ନଦେଖିବାରୁ ବହୁ ଖୋଜଖୋଜି କରିଥିଲେ । ହେଲେ ପୁଅକୁ ପାଇନଥିଲେ | ଛୁଆ ଚୋର ନେଇଯାଇଥିବ ବୋଲି ଆଖପାଖ ଗାଁକୁ ଯାଇ ମଧ୍ୟ ଛାନବିନ କରିଥିଲେ । ପଡୋଶୀ ଘର ସମ୍ମୁଖରେ କୂଅ ପାଖରେ ଅମୃତଭଣ୍ଡା ଗଛର ପତ୍ର ପଡିଥିବା ଦେଖି କୂଅ ଭିତରେ ପଡିଥିବା ସନ୍ଦେହ ହୋଇଥିଲା ଏବଂ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା ।
ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରେ ଖୋଜାଖୋଜି କରିଥିଲେ । ଦୀର୍ଘ ସମୟ ପରେ କୂଅରୁ ବାହାରିଥିଲା ଶିଶୁର ମୃତଦେହ । କୂଅରେ ପଡି ସୌରଭର ମୃତ୍ୟୁ ହୋଇଥିବା ଖବର ଗାଁରେ ପ୍ରଚାର ହେବାପରେ ଶୋକାକୁଳ ବାତାବରଣ ସୃଷ୍ଟି ହୋଇଛ | ସେପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ ଡାକ୍ତରଖାନାକୁ ପଠାଇଛି ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ