ବାଲେଶ୍ବର: ପୁଣି ମାତିଲେ ସାଇବର ଠକ (Cyber Fraud) । ଆଖିପୁଛୁଳାକେ ନେଇଗଲେ ୨୭ ହଜାରରରୁ ଅଧିକ ଟଙ୍କା । ବାଲେଶ୍ଵର ଟାଉନ ଥାନା ଅଧିନ ସୁନହଟ ଅଞ୍ଚଳର ଲିଗାଲ ଅସୋସିଏଟ ରଚିତା ଦାସ ଠକାମୀର ଶିକାର ହୋଇଛନ୍ତି। ଏନେଇ ସେ ଟାଉନ ଥାନା ସମେତ ସାଇବର ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ, ରଚିତାଙ୍କ କ୍ରେଡିଟ କାର୍ଡ ଷ୍ଟେଟମେଂଟ ଅପଡେଟ ହେଉ ନଥିବା ବେଳେ ସେ ଏନେଇ ବ୍ୟାଙ୍କ ସହ ଯୋଗାଯୋଗ କରିଥିଲେ। ବ୍ୟାଙ୍କ ପକ୍ଷରୁ ଟୋଲ ଫ୍ରି ନମ୍ବରରେ କଲ କରି ଅଭିଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏହାକୁ ନେଇ ରଚିତା ଗୁଗୁଲରୁ ଟୋଲ ଫ୍ରି ନମ୍ବର ସଂଗ୍ରହ କରି କଲ କରିଥିବା ବେଳେ କଲ କେହି ଉଠାଇ ନଥିଲେ। ମାତ୍ର ସେହିଦିନ ପୁଣି ତାଙ୍କୁ ୯୬୪୭୦୨୩୧୨୫ ନମ୍ବରରୁ କଲ ଆସିଥିଲା। କଲଟି ବ୍ୟାଙ୍କ ଏଜେଣ୍ଟଙ୍କ ପକ୍ଷରୁ କରାଯାଇଥିବା କୁହାଯାଇଥିଲା।
ଏହା ମଧ୍ୟ ପଢନ୍ତୁ: ରାଜ୍ୟରୁ ଉଚ୍ଛେଦ ହେଲା ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା
କ୍ରେଡିଟ କାର୍ଡ ସମ୍ପର୍କିତ ଅଭିଯୋଗ ପଚାରିବା ପରେ ରଚିତାଙ୍କୁ ଏକ ଆପ ଡାଉନ ଲୋଡ଼ କରିବାକୁ କୁହାଯାଇଥିଲା। ଆପ ଡାଉନ ଲୋଡ଼ କରିବା ପରେ ତାଙ୍କୁ ସ୍କ୍ରିନ ସେୟାର କରିବାକୁ କୁହାଯାଇଥିଲା। ଏମିତି କରିବା ପରେ ରଚିତାଙ୍କ ସେଭିଂ ବ୍ୟାଙ୍କ ଆକାଉଣ୍ଟରୁ 13 ହଜାର 500 ଟଙ୍କା ଓ କ୍ରେଡିଟ କାର୍ଡରୁ 13 ହଜାର 817 ଟଙ୍କା କଟି ଯାଇଥିଲା। ଏହାକୁ ନେଇ ରଚିତା ପୁଣି ବ୍ୟାଙ୍କ ସହ ଯୋଗାଯୋଗ କରିବା ପରେ ତାହା ଏକ ଠକ କଲ ଥିଲା ବୋଲି ଜଣାପଡିଥିଲା। ଏହା ଜାଣିବା ପରେ ରଚିତା ଉକ୍ତ ଆପକୁ ଡିଲିଟ କରିବା ସହ ଟାଉନ ଥାନା ଓ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର କ୍ରାଇମ। ସାଇବର ଠକମାନେ ବିଭିନ୍ନ ପ୍ରକାର ଜାଲ ବିଛାଇ ଲୋକମାନଙ୍କୁ ଠକୁଥିବା ଦେଖିବାକୁ ମିଳୁଛି। କେତେବେଳେ ବ୍ୟାଙ୍କ କର୍ମଚାରୀ କହି ଫୋନ ଆସୁଛି ତ ପୁଣି କେତେବେଳେ ଉଲଗ୍ନ ହୋଇ ଲୋକଙ୍କୁ ବ୍ଲାକମେଲ କରୁଛନ୍ତି ସାଇବର ଠକ । ବିଭିନ୍ନ ଆଲ ଦେଖାଇ ସାଇବର ଠକମାନେ ଲୋକଙ୍କୁ ଠକିବାରେ ଲାଗିଛନ୍ତି ।
ଇଟିଭି ଭାରତ, ବାଲେଶ୍ବର