ବାଲେଶ୍ବର: ବାବୁ.. କିଛି ସାହାଯ୍ୟ କର । ହାତରେ ଅଭାବର ବ୍ୟାଗ ଧରି ଆଖିର ଲୁହକୁ ଛାତିରେ ଚାପି ଧରି ଖାଲି ପାଦରେ ଚାଲିଚାଲି ଭିକ୍ଷା ମାଗୁଛନ୍ତି ମହିଳା । ଏହି ଭିକ୍ଷା ନିଜ ପେଟ ପାଇଁ ନୁହେଁ ବରଂ ସାତଜନ୍ମ ପାଇଁ ସାଥି ହୋଇ ରହିବାକୁ କଥା ଦେଇଥିବା ମୃତ ସ୍ବାମୀର ଶୁଦ୍ଧକ୍ରିୟା ପାଇଁ । ତିନି କଅଁଳା ଶିଶୁକୁ ଧରି ପୁଙ୍ଗୁଳା ପାଦରେ ବାର ଦ୍ବାର ବୁଲି ଅଭାବ ପୂରଣ ପାଇଁ ଭିକ୍ଷା ମାଗୁଛନ୍ତି ଅଭାଗୀନି ମହିଳା। ପରିବାରର ମେରୁଦଣ୍ଡ ଭାଙ୍ଗିଯିବାରୁ ପୁରା ପରିବାର ସ୍ତବ୍ଧ ହୋଇଯାଇଛି । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ତାଡଦା ପଞ୍ଚାୟତ ଶାସନ ଗ୍ରାମରେ । ମା'ର ଲୁହକୁ ସହିନପାରି ହାତରେ ପୋଛି ପକାଉଛି ଦୁନିଆ କଣ ଜାଣିନଥିବା ଛୁଆ ।
ଖବର ଅନୁସାରେ, ଶାସନ ଗ୍ରାମରେ ନିଜ ପରିବାର ସହିତ ତେଲ ଲୁଣର ସଂସାର କରି ଚଳୁଥିଲେ ଜଗୁ ସୋରେନ । ହେଲେ ଗତ 21 ତାରିଖରେ ହଠାତ ଆକସ୍ମିକ ଭାବେ ତାଙ୍କର ମୃତ୍ୟୁ ହୋଇଗଲା । ଫଳରେ 3 କଅଁଳା ଛୁଆ ବାପ ଛେଉଣ୍ଡ ହୋଇଯାଇଥିବା ବେଳେ ସ୍ତ୍ରୀ ମଥାରୁ ସବୁଦିନ ପାଇଁ ଲିଭିଯାଇଥିଲା ସିନ୍ଦୁର । ଏତିକିରେ ଦୁଃଖ ସରି ନଥିଲା । ସ୍ବାମୀର ଦେହାନ୍ତ ପରେ ଆତ୍ମାକୁ ଶାନ୍ତି କରିବା ପାଇଁ ବିଧବା ସ୍ତ୍ରୀ ପାଖରେ ନଥିଲା ଟଙ୍କା । ସୁଖ ଦୁଃଖର ସାଥି ହେବା ପାଇଁ କଥା ଦେଇଥିବା ସ୍ତ୍ରୀ ପ୍ରତିଶୃତି ଭୁଲିବ ବା କେମିତି । ଜଣେ ସ୍ତ୍ରୀର ଶକ୍ତି ସ୍ବାମୀ ହୋଇଥିବା ବେଳେ ସିନ୍ଦୁର ସାମର୍ଥ୍ୟ ବୋଲି କୁହାଯାଏ । ତେଣୁ ଓଳିଏ ଖାଇଲେ ଓଳିଏ ଉପବାସ ରହି ପରିବାର ମୁଖ୍ୟଙ୍କ ଶୁଦ୍ଧକ୍ରିୟା ପାଇଁ ଅର୍ଥ ଯୋଗାଡ କରିବାରେ ଲାଗିଛନ୍ତି ପୁରା ପରିବାର । ଯିଏ ଯାହା ଦେଲା ସେତିକିରେ ସନ୍ତୁଷ୍ଟି ହେଉଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଦୁଇଟି ଯାକ କିଡନୀ ହରାଇ ହସ୍ପିଟାଲ ବେଡ୍ରେ ସ୍ୱାମୀ, ଜୀବନ ଭିକ୍ଷା ମାଗୁଛି ସ୍ତ୍ରୀ
ଜଗୁଙ୍କ ପରିବାର: ଜଗୁଙ୍କ ପରିବାର କହିଲେ ସ୍ତ୍ରୀ ସୁମିତା, 11 ବର୍ଷର ବଡ଼ ଝିଅ ସୁନି, ପୁଅ ମାଧ (୬)ସୁଶିଲ (୩)। ଜଗୁ ଏକା କାମ ଧନ୍ଦା କରି ପରିବାର ପ୍ରତି ପୋଷଣ କରୁଥିଲେ । ସରକାରୀ ସାହାଯ୍ୟ କହିଲେ ମାସକୁ ଅନ୍ତର୍ଦୋୟ ଯୋଜନାରେ ମିଳେ ୩୫ କେଜି ଚାଉଳ। ମୁଣ୍ଡ ଗୁଞ୍ଜିବାକୁ ସରକାରୀ ଜାଗାରେ ଖଣ୍ଡେ ପଲିଥିନ ଟଣା ଝୁମ୍ପୁଡି ରହିଛି । ଜଗୁ ଦିନ ମଜୁରିଆ ଭାବେ ଲୋକଙ୍କ ଘରେ କାମ ଧନ୍ଦା କରି ପରିବାର ଚଳାଇଥିବା ବେଳେ ହଠାତ୍ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ମୃତ୍ୟୁ ପରେ ଏବେ ନାବାଳକଙ୍କ ସହିତ ଚାରି କୁଟୁମ୍ବ ବାର ଦୁଆର ବୁଲି ଓଳିଏ ଖାଉଥିବା ବେଳେ ଦିନ ଯାକ ଭୋକ ଉପାସରେ କାଟୁଛନ୍ତି । ଏଣେ ପରମ୍ପରା ଅନୁଯାୟୀ ଜଗୁର ଶୁଦ୍ଧି କ୍ରିୟା ପାଇଁ ସେମିତି ସମ୍ବଳ ନଥିବା ବେଳେ ଗ୍ରାମର ପ୍ରତିଘରେ ଘରେ ବୁଲି ସାହାଯ୍ୟ ଭିକ୍ଷା କରୁଛନ୍ତି ନାବାଳିକା ଝିଅ ସୁନି ସହିତ ନାବାଳକ ମାଧ ଏବଂ ସୁନିଲ।
ପରିବାରଙ୍କୁ ସାହାଯ୍ୟର ହାତ: ଦେବେ ସୁମିତାଙ୍କ ଦୁଃଖ ଦେଖି ପ୍ରଶାସନ ସହଯୋଗର ହାତ ବଢାଇଛି । ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ତୁରନ୍ତ ଏହି ପରିବାରକୁ ରେଡ କ୍ରସରୁ ଆର୍ଥିକ ଅନୁଦାନ ପାଇଁ ବିଡ଼ିଓ ମୋହିନୀ ନାୟକଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ଖାଲି ଶୁଦ୍ଧିକ୍ରିୟା ନୁହଁ ବରଂ ସ୍ଥାୟୀ ଜମି ପଟ୍ଟା ସହିତ ଏହି ପରିବାରକୁ ସରକାରୀ ଆବାସ ସହିତ ଭତ୍ତା ଯୋଗାଇବା ପାଇଁ ସ୍ଥାନୀୟ ସରପଞ୍ଚ ପ୍ରଭାତ କୁମାର ଦାସ ଦାବି କରିଛନ୍ତି । ଏହି ଖବର ପ୍ରଚାରିତ ହେବାପରେ ଜଳେଶ୍ଵର ଓ ବସ୍ତା ଅଞ୍ଚଳର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଅସହାୟ ପରିବାର ନିକଟରେ ପହଞ୍ଚି ସହାୟତା ପ୍ରଦାନ କରାଯାଇଛି । ବସ୍ତା ବିଡ଼ିଓ ମୋହିନୀ ମୋହନ ନାୟକ, ଜିପିଓ ଅଞ୍ଜନ ପାଣିଗ୍ରାହୀ ଶାସନ ଗ୍ରାମର ସୁମିତାଙ୍କ ଘରକୁ ଯାଇ ତାଙ୍କର ଦୟନୀୟ ଅବସ୍ଥା ଦେଖି ରେଡ କ୍ରସ୍ ଫଣ୍ଡରୁ ଦଶ ହଜାର ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରିବା ସହିତ ଖୁବଶିଘ୍ର ବିଧବା ଭତ୍ତା ଓ ଆବାସ ଯୋଜନା ରେ ଘର ପ୍ରଦାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି।
ଇଟିଭି ଭାରତ, ବାଲେଶ୍ବର