ବାଲେଶ୍ୱର: ଜିଲ୍ଲାରେ ବିଦ୍ୟୁତ ବିତରଣକୁ ନେଇ ଦେଖାଦେଉଥିବା ସମସ୍ୟାକୁ ନେଇ ଟାଟା ପାୱାର ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ସ୍ପଷ୍ଟୀକରଣ ଦିଆଯାଇଛି । ଟିପିଏନଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାସ୍କର ସରକାର ବିଦ୍ୟୁତ ବିରତଣ ସରଳୀକରଣ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଟିପିଏନଓଡିଏଲ ଅଧିନରେ ଉତ୍ତର ଓଡିଶାରେ ୨୦ଲକ୍ଷରୁ ଊର୍ଦ୍ଧ୍ବ ଗ୍ରାହକ ଥିବା ବେଳେ ପ୍ରାୟ ୧୯ ଲକ୍ଷ ଗ୍ରାହକ ସିଙ୍ଗଲ ଫେଜ ବିଦ୍ୟୁତ ବ୍ୟବହାର କରୁଛନ୍ତି ଓ ୧ଲକ୍ଷ ବ୍ୟବସାୟିକ ଗ୍ରାହକ ରହିଛନ୍ତି ।
ବିଦ୍ୟୁତ ବିତରଣ ଓ ପରିଚାଳନା ପାଇଁ କମ୍ପାନୀରେ ୨୪ଶହ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ଆଗାମୀ ଦିନରେ ବିଭିନ୍ନ ବିଜିନେସ ଆସୋସିଏସଟ ମାଧ୍ୟମରେ କର୍ମଚାରୀଙ୍କ ସଂଖ୍ୟା ୬ହଜାରରୁ ବୃଦ୍ଧି କରାଯିବା ନେଇ ସୂଚନା ରହିଛି । ଏହା ସହିତ ବିଦ୍ୟୁତ ବିଲିଂ ପାଇଁ ଅଧିକ ୨ହଜାର କର୍ମଚାରୀ ନିଯୁକ୍ତ ହେବେ ବୋଲି ଜଣାପଡିଛି । ସେହିପରି ବିଦ୍ୟୁତ ମରାମତି କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ସହ ୧୫ଲକ୍ଷ ଟଙ୍କାର ବୀମା କରାଯିବ ।
ଆଉଟସୋର୍ସିଂରେ କାର୍ଯ୍ୟ କରୁଥିବା କୌଣସି କର୍ମଚାରୀଙ୍କୁ ଉଚ୍ଛେଦ ନେଇ କୌଣସି ଯୋଜନା ନଥିବା ବେଳେ ସେମାନଙ୍କୁ ଟିପିଏନଓଡିଏଲ ବିଜିନେସ ଆସୋସିଏଟଙ୍କ ଅଧିନରେ କାର୍ଯ୍ୟ କରିବାକୁ ପଡିବ ବୋଲି ଶ୍ରୀ ସରକାର ସୂଚନା ଦେଇଥିଲେ । ସେହିପରି ବିଲିଂ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଅତ୍ୟାଧୁନିକ ସଫ୍ଟୱେର ପ୍ରୟୋଗ ସହ ଦକ୍ଷତା ସମ୍ପନ୍ନ ଏଜେନ୍ସିଙ୍କୁ ନିୟୋଜିତ କରାଯାଉଛି ବୋଲି ସେ କହିଛନ୍ତି ।
ବିଲିଂ ବ୍ୟବସ୍ଥାରେ ତୃଟି ଯୋଗୁଁ ସମ୍ପ୍ରତି କମ୍ପାନୀ ମାସକୁ ପ୍ରାୟ ୩୦୦ କୋଟି ଟଙ୍କା କ୍ଷତି ସହୁଛି । ଆସନ୍ତା ଦୁଇ ମାସ ମଧ୍ୟରେ ବିଲିଂ ବ୍ୟବସ୍ଥାରେ ସ୍ୱଚ୍ଛତା ଆସିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି । ଅନ୍ୟପକ୍ଷରେ ଉତ୍ତର ଓଡିଶାରେ ବିଦ୍ୟୁତ ବିତରଣ ବ୍ୟବସ୍ଥାର ଭିତ୍ତିଭୂମିରେ ସୁଧାର ଆଣିବା ପାଇଁ ପ୍ରୟାସ ଜାରି ରହିଛି । ଅନ୍ୟମାନଙ୍କ ମଧ୍ୟରେ ଟିପିଏନଓଡିଏଲର ଅପରେସନ ମୁଖ୍ୟ ଦୁଷ୍ମ୍ୟନ୍ତ ତ୍ୟାଗୀ, ବ୍ୟବସାୟିକ ମୁଖ୍ୟ ରମେଶ କୌଲ, ଆଡମିନ ମୁଖ୍ୟ ଜୟରାମ ଭାଟିଆ ଓ ଲୋକ ସମ୍ପର୍କ ଅଧିକାରୀ ଚିତ୍ତରଞ୍ଜନ ପ୍ରଧାନ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।
ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ